ବିଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ନିଶ୍ଚିତ

ୱାସିଂଟନ:- ଜୋ ବିଡେନ ଆମେରିକାର ନୂଆ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ। ହେଲେ ନିଜ ହାରକୁ ସହଜରେ ସ୍ୱୀକାର କରି ପାରୁନାହାନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଏଣୁ ନ୍ୟାୟାଳୟଙ୍କ ଦ୍ୱାରା ଆସନ ବଞ୍ଚାଇବା ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏଥିରେ ଦେଶର କେତେକ ଅଞ୍ଚଳରେ ହିଂସାକାଣ୍ଡର ସୂଚନା ମଧ୍ୟ ମିଳିବାରେ ଲାଗିଲାଣି।ରାଷ୍ଟ୍ରପତି ନିର୍ବାଚିତ ହେବା ଲାଗି ଜୋ ବିଡେନ ଏବେ ମାତ୍ର ୬ଟି ଇଲୋକ୍ଟୋରାଲରୁ ଦୂରରେ ଅଛନ୍ତି। ଏଥିରେ କେତେକ ସ୍ଥାନରେ ବଳକା ଭୋଟ ଗଣନାରୁ ମିଳୁଥିବା ଅଙ୍କ ଯୋଗୁ ଏବେ ତାଙ୍କ ବିଜୟ ସମ୍ଭାବନା  ପ୍ରବଳ ହେଉଛି। ହେଲେ ବାସ୍ତବିକତାକୁ ସ୍ୱୀକାର କରିପାରୁନାହାନ୍ତି ଟ୍ରମ୍ପ। ଏଣୁ ଡେମୋକ୍ରାଟିକ ପାର୍ଟି ବିରୋଧରେ ନିର୍ବାଚନ ତଞ୍ଚକତା ଅଭିଯୋଗ ଆଣୁଛନ୍ତି।

ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆମେ ଖୁବ୍ ସହଜରେ ନିର୍ବାଚନ ଜିତିଯିବୁ ବୋଲି କହିଛନ୍ତି। ଏହା ସତ୍ତ୍ୱେ ଯଦି ପରିଣାମ ଆମ ବିରୋଧରେ ଯିବ ତେବେ କୋର୍ଟମାନଙ୍କରେ ପିଟିସନର ପର୍ଯ୍ୟାୟ ଲାଗିଯିବ, କାରଣ ଆମ ପାଖରେ ନିର୍ବାଚନ ହେରଫେରର ସ୍ପଷ୍ଟ ପ୍ରମାଣ ରହିଛି ବୋଲି ଦାବି କରିଛନ୍ତି। ଡେମୋକ୍ରାଟିକ ପାର୍ଟି ଅବୈଧ ଭୋଟ ମାଧ୍ୟମରେ ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛି ବୋଲି ଟ୍ରମ୍ପ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ରାଜ୍ୟମାନଙ୍କରେ ଆମର ବିପୁଳ ବିଜୟ ହୋଇଛି। ତେବେ ଟ୍ରମ୍ପ ତାଙ୍କ ଅଭିଯୋଗ ନେଇ ପ୍ରମାଣ ଉପସ୍ଥାପନ କରିନାହାନ୍ତି।ଟ୍ରମ୍ପ ଏପର୍ଯ୍ୟନ୍ତ ୨୧୪ ଇଲେକ୍ଟୋରାଲରେ ବିଜୟ ହାସଲ କରିଛନ୍ତି। ଅପରପକ୍ଷେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ୨୬୪ ଇଲୋକ୍ଟୋରାଲ ଭୋଟ ହାସଲ କରିସାରିଲେଣି। ଇତିମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଦେଶରେ ଛୋଟମୋଟ ହିଂସାର ସୂଚନା ମିଳୁଛି। ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନ ଲୋକଙ୍କ ଦାବି ଅନୁସାରେ ଆବଶ୍ୟକ ପଡିଲେ ଦ୍ୱିତୀୟବାର ଭୋଟ ଗଣନା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଲୋକଙ୍କୁ ଶାନ୍ତି କାୟମ ରଖିବାକୁ ନିବେଦନ କରିଛନ୍ତି।

ଆମେରିକାରେ ମତଦାତାମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଦେଶରେ ଭୋଟଦାନର ଯେଉଁ ବ୍ୟବସ୍ଥା ରହିଛି ଏଥିରେ ପ୍ରତ୍ୟେକ ଭୋଟ  ଗଣତି ହେବା ଦରକାର ଓ ଏହା କରାଯିବ ମଧ୍ୟ ବୋଲି ସେ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି। ଆମେରିକାର ଆଗାମୀ ରାଷ୍ଟ୍ରପତିଙ୍କ ଲାଗି  ୨୭୦ ଇଲେକ୍ଟୋରାଲରୁ ବିଜୟୀ ହେବା ଜରୁରି। ଏହି ମ୍ୟାଜିକ ନମ୍ବରରୁ ବିଡେନ ମାତ୍ର ୬ଟି ଇଲେକ୍ଟୋରାଲ ପଛରେ ଅଛନ୍ତି।

ଆମେରିକାରେ ରାଷ୍ଟ୍ରପତି ଲୋକଙ୍କ ପ୍ରତ୍ୟକ୍ଷ ଭୋଟରେ ନିର୍ବାଚିତ ହୁଅନ୍ତି ନାହିଁ। ଲୋକେ ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କ ନିର୍ବାଚନ କରନ୍ତି। ଇଲେକ୍ଟୋରାଲ ସଦସ୍ୟ ପରେ ରାଷ୍ଟ୍ରପତିଙ୍କ ନିର୍ବାଚନ କରନ୍ତି। ଇଲେକ୍ଟୋରାଲ କଲେଜରେ ମୋଟ ୫୩୮ଟି ଭୋଟ ରହିଛି। ଏଣୁ ରାଷ୍ଟ୍ରପ୍ରତି ପ୍ରାର୍ଥୀଙ୍କୁ ଜିତିବା ଲାଗି ଅନୁନ୍ୟ ୨୭୦ ଇଲେକ୍ଟୋରାଲରୁ ନିର୍ବାଚିତ ହେବା ଜରୁରି। କରୋନା ଭାଇରସ ମହାମାରୀ ଯୋଗୁ ଅନେକ ଲୋକେ ଅଗ୍ରୀମ ମତଦାନ କରିଥିଲେ।

Leave a Reply

Your email address will not be published. Required fields are marked *