୨ରୁ ପୁଣି ବର୍ଷା, ଆଜି ଓଡ଼ିଶା ଛାଡ଼ିବ ମୌସୁମୀ,

ଭୁବନେଶ୍ୱର:-ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଆସନ୍ତାକାଲି(ବୁଧବାର) ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସମେତ ସାରା ଦେଶରୁ ପଳାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଶୀତ ଆହୁରି ବଢ଼ିବ ବୋଲି କେନ୍ଦ୍ର ନିର୍ଦ୍ଦେଶକ ଏଚ ବିଶ୍ୱାସ ଆକଳନ କରିଛନ୍ତି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ନଭେମ୍ବର ୨, ୩ ଓ ୪ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଭୁବନେଶ୍ୱରରେ ଏହି ୩ଦିନ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ବିଶେଷ କରି ଉତ୍ତର ଉପକୂଳରେ ପ୍ରାୟତଃ ଭାରୀ(୫୪ ମିଲିମିଟର) ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ତେବେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ‘ମୋଲାଭେ’ବାତ୍ୟା ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଭିଏତନାମରେ ସ୍ଥଳଭାଗକୁ ଛୁଇଁବ । ଏହାର ଅବଶିଷ୍ଟାଂଶ ଥାଇଲାଣ୍ଡ ମିଆମାର୍‌ ଦେଇ ୨୯ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ରୁପ ନେବ । ଯାହା ୩୦ ସୁଦ୍ଧା ଲଘୁଚାପରେ ପରିଣତ ହେବ । ୩୧ରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗର ଓ ୧ରେ ଉତ୍ତର-ଦକ୍ଷିଣ ହୋଇ ଏହା ସଂଗଠିତ ହେବ । ଯାହା ଫଳରେ ଓଡ଼ିଶାରେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ହେବ ।

ଅପରପକ୍ଷେ ବର୍ତ୍ତମାନ ରାଜ୍ୟକୁ ଉତ୍ତର ଭାରତରୁ ପବନ ବୋହୁଛି । ଯାହାର ପ୍ରଭାବରେ ତାପମାତ୍ରା କମୁଛି । ଅନୁମାନ କରାଯାଉଛି ଉପକୂଳରେ ୩୦ତାରିଖ ପର୍ଯ୍ୟନ୍ତ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୧ ପର୍ଯ୍ୟନ୍ତ ତାପମାତ୍ରା କ୍ରମଶଃ କମିବ । ୩୦ ସୁଦ୍ଧା ଭୁବନେଶ୍ୱରରେ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ । ତେବେ ୩୧ ତାରିଖରୁ ମେଘୁଆ ପାଗ ଯୋଗୁଁ ଉପକୂଳରେ ଥଣ୍ଡା ପ୍ରାୟ ୩ରୁ ୪ ଡିଗ୍ରୀ କମିବ । ସର୍ବନିମ୍ନ ତାପମାତ୍ରା ବଢ଼ିବ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ରୁ ୩ ଭିତରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବ । ୪ତାରିଖରୁ ପୁଣି ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ଆଜିର ତାପମାତ୍ରା ତୁଳନାରେ ପ୍ରାୟ ୩ଂ ସେଲସିୟସ୍‌ କମ ରହିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

Leave a Reply

Your email address will not be published. Required fields are marked *