ନୀତିଶଙ୍କ ଆକ୍ଷେପର ଜବାବ ଦେଲେ ତେଜସ୍ବୀ, ଯୁକ୍ତି ଭିତରକୁ ପ୍ରଧାନମନ୍ତ୍ରୀଙ୍କୁ ଟାଣିଲେ

ପାଟଣା:- ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ନେତା ନେତାଙ୍କ ମଧ୍ୟ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ଭିତରେ ନୀତିଶ କୁମାରଙ୍କ ମନ୍ତବ୍ୟକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବ। ନୀତିଶଙ୍କ ଆକ୍ଷେପର ଜବାବ ଦେବା ସହ ନିଜ ଯୁକ୍ତି ଭିତରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାଣିବାକୁ ଭୁଲିନାହାନ୍ତି ତେଜସ୍ବୀ। ତେଜସ୍ବୀ କହିଛନ୍ତି, ନୀତିଶ କୁମାର ଏଭଳି ମନ୍ତବ୍ୟ ଦେଇ ନିଜକୁ ଓ ନରେନ୍ଦ୍ର ମୋଦିଙ୍କୁ ବି ଆକ୍ଷେପ କରିଛନ୍ତି। କାରଣ ମୋଦିଙ୍କର ମଧ୍ୟ ୬ ଭାଇଭଉଣୀ ଅଛନ୍ତି।

କହିରଖୁଛୁ ଯେ, ହାଜିପୁରରେ ଆୟୋଜିତ ଏକ ରାଲିରେ ନୀତିଶ କୁମାର କହିଥିଲେ, ଯେଉଁମାନେ ୮-୯ ପିଲା ଜନ୍ମ କରୁଛନ୍ତି ସେମାନେ ବିକାଶ କଣ କରିବେ। ନୀତିଶଙ୍କ ଏହି ବୟାନକୁ ନେଇ ଜୋରଦାର ବର୍ଷିଛନ୍ତି ତେଜସ୍ବୀ। ନୀତିଶ କୁମାର ମହିଳାଙ୍କ ସମେତ ମୋ ମାଙ୍କ ଭାବନାକୁ ଆଘାତ ଦେଇଥିବା କହିଛନ୍ତି ତେଜସ୍ବୀ। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି। ବେରୋଜଗାର, ଦୁର୍ନୀତି ଓ ଗରିବୀ ଉପରେ କିଛି ନକହି ଲୋକଙ୍କୁ ଭୁଆଁ ବୁଲାଇବାକୁ ନୀତିଶ ଚେଷ୍ଟା କରୁଥିବା ତେଜସ୍ବୀ ଅଭିଯୋଗ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୮ରେ ହେବାକୁ ଥିବା ପ୍ରଥମ ଚରଣ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ମହାମେଣ୍ଟକୁ ଜୋରଦାର ଟାର୍ଗେଟ କରିଥିଲେ ନୀତିଶ କୁମାର। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଓ ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ବି ନିଶାନା କରିଥିଲେ ନୀତିଶ। ନୀତିଶ ସେମାନଙ୍କୁ ଟର୍ଗେଟ କରି କହିଥିଲେ, ତେଜସ୍ବୀ ଓ ଲାଲୁଙ୍କ କଥାକୁ କିଏ ପଚାରୁଛି ? ସେମାନଙ୍କର ୮-୯ ପିଲା ଅଛନ୍ତି। ଝିଅମାନଙ୍କ ଉପରେ ସେମାନଙ୍କ ବିଶ୍ବାସ ନାହିଁ। ଅନେକ ଝିଅ ଜନ୍ମ ନେବା ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା। ସେମା​‌ନେ ବିହାରକୁ କେମିତି ତିଆରି କରିବାକୁ ଚାହୁଁଛନ୍ତି ଆପଣମାନେ ଦେଖିପାରୁଥିବେ ବୋଲି ନିର୍ବାଚନୀ ପ୍ରଚାରରେ କହିଥିଲେ ନୀତିଶ।

Leave a Reply

Your email address will not be published. Required fields are marked *