ମହିଳାଙ୍କୁ ନିର୍ମମ ହତ୍ୟା: ଅଖା ଭିତରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ
କେନ୍ଦୁଝର:- ଅଖା ଭିତରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଏହି ଘଟଣା କେନ୍ଦୁଝର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲାର ୨୦ ନମ୍ବର ଜାତୀୟ ରାଜପଥରେ ଅଖା ଭିତରେ ମୃତଦେହ ପଡି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଅଖାଟି ସମ୍ପୂର୍ଣ୍ଣ ଭାବେ ରକ୍ତରେ ଭିଜି ଲାଲ୍ ହୋଇଯାଇଥିଲା।
କେବଳ ସେତିକି ନୁହେଁ, ମୃତଦେହ ପାଖରେ ଏକ ଟିଭିଏସ୍ ମୋପେଡ ମୋଟର ସାଇକେଲ ପଡିଥିବା ସହ ଏକ କଳା ରଙ୍ଗର ହେଲମେଟ୍ ମଧ୍ୟ ପଡିଥିଲା। ମହିଳାଙ୍କୁ କେହି ହତ୍ୟା କରି, ସେଠାରେ ଫିଙ୍ଗି ଦେଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟପଟେ ପଡି ରହିଥିବା ଗାଡିର ନମ୍ବର ମୁତାବକ, ନୟାଗଡ଼ର ଦିଲ୍ଲୀପ ଦଳାଇଙ୍କ ବୋଲି ଜଣାପଡିଛି।
ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳି ପାରି ନାହିଁ। କିଏ ଓ କାହିଁକି ତାଙ୍କୁ ହତ୍ୟା କଲେ, ତାହାର ମଧ୍ୟ ସୁରାଗ ମିଳିପାରି ନାହିଁ। ଅନ୍ୟପଟେ ବାଇକ୍ର ନମ୍ବର ଅନୁସାରେ ନୟାଗଡ଼ର ଦିଲ୍ଲୀପ ଦଳାଇଙ୍କ ବାଇକ୍ ବୋଲି କୁହାଯାଉଥିବା ବେଳେ ସେ ସେଠାକୁ କାହିଁକି ଆସିଥିଲେ ବୋଲି ପ୍ରଶ୍ନ ଉଠୁଛି। ବର୍ତ୍ତମାନ ନୟାଗଡ଼ର ଦିଲ୍ଲୀପଙ୍କୁ ପୋଲିସ୍ ଖୋଜୁଛି। ବିଭିନ୍ନ ଆଧାରରେ ପୋଲିସ୍ ତଦନ୍ତ ଚଳାଇଛି।