କାଲିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଭର୍ଚ୍ଚୁଆଲ୍ ପ୍ରଚାର: ୩୦ରେ ତିର୍ତ୍ତୋଲ ଆସୁଛନ୍ତି ଧର୍ମେନ୍ଦ୍ର,

ଭୁବନେଶ୍ୱର:-ଉପନିର୍ବାଚନ ପାଇଁ ବାଲେଶ୍ବର ଓ ତିର୍ତ୍ତୋଲରେ ଚାଲିଛି ଜୋରଦାର ପ୍ରଚାର। ଭୋଟରଙ୍କୁ ମନାଇବାରେ ବ୍ୟସ୍ତ ବିଭିନ୍ନ ରାଜନୈତିକ ଦଳ। ଆସନ୍ତା କାଲି ତିର୍ତ୍ତୋଲ ଏବଂ ୨୯ରେ ବାଲେଶ୍ବର ସଦରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚ୍ଚୁଆଲ୍‌ ର୍ୟାଲି କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ୩୦ରେ ତିର୍ତ୍ତୋଲ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଆସନ୍ତାକାଲି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡିର ଓ୍ବାନ୍‌ ଆଣ୍ଡ ଓନ୍‌ଲି ଷ୍ଟାର କ୍ୟାମ୍ପେନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୮ରେ ତିର୍ତ୍ତୋଲ ଏବଂ ୨୯ରେ ବାଲେଶ୍ବର ସଦରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚ୍ଚୁଆଲ୍‌ ର୍ୟାଲି କରିବେ ବିଜେଡି ସୁପ୍ରିମୋ। ସେପଟେ ଗ୍ରାଉଣ୍ଡରେ ଅଧ ଡଜନେରୁ ଅଧିକ ମନ୍ତ୍ରୀ ବିଧାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି। ବାଲେଶ୍ବର ସଦର ଆସନରେ ବିଜେଡି ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି ଶତାଧିକ ମହିଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ବଚ୍ଛ ଶାସନ ସହ  ବିଭିନ୍ନ ଜନହିତକର ଯୋଜନାର ଦ୍ବାହି ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଅପିଲ୍‌ କରୁଛନ୍ତି ବିଜେଡି ନେତା। ବାଲେଶ୍ବରରେ ସଦରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର,  ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଭଳି ଦଳର ତୁଙ୍ଗ ନେତା। ସହରାଞ୍ଚଳରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ପ୍ରଚାରକୁ ଯୋରଦାର କରିଛି ବିଜେଡି।ସେହିଭଳି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମେତ ଏକାଧିକ ମନ୍ତ୍ରୀ ଓ ବିଧାୟକ। ତିର୍ତ୍ତୋଲରେ ୨୦ବର୍ଷର ବିଜେଡି ଗଡ଼ରେ ବିଜୟ ଧାରା ବଜାୟ ରଖିବାକୁ ପୂରା ଦମ୍‌ ଲଗାଇଛନ୍ତି ଦଳୀୟ ନେତା ଓ କର୍ମୀ।

ବାଲେଶ୍ବର ପ୍ରଚାର ମଇଦାନରେ ବିଜେଡିକୁ କଡ଼ା ଟକ୍କର ଦେଉଛି ବିଜେପି। ନିକଟରେ ବିଜେପିର ଷ୍ଟାର କ୍ୟାମ୍ପେନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ବରରେ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଥିବା ବେଳେ ଏହା ଦଳୀୟ ନେତାକର୍ମୀଙ୍କ ମନରେ ଜୋସ୍‌ ଭରିଛି। ବିଭିନ୍ନ ପଞ୍ଚାୟତରେ ବାଇକ୍‌ ର୍ୟାଲି କରିଛନ୍ତି ପ୍ରାର୍ଥୀ ମାନସ ଦତ୍ତଙ୍କ ସମର୍ଥକ।

ସେପଟେ ତିର୍ତ୍ତୋଲରେ ମଧ୍ୟ ପ୍ରଚାରକୁ ଜୋରଦାର୍‌ କରିଛି ବିଜେପି। ପୂର୍ବରୁ ଭର୍ଚ୍ଚୁଆଲ୍‌ ର୍ୟାଲିରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧିତ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୩୦ରେ ସିଧା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ଆଜି ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ।ବିଜେଡି ଓ ବିଜେପିର ଯୋରଦାର ପ୍ରଚାର ଭିତରେ ପଛରେ ପଡ଼ିବାକୁ ଚାହିଁନି କଂଗ୍ରେସ। ବାଲେଶ୍ବରରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି। ସେହିଭଳି ତିର୍ତ୍ତୋଲରେ ଦଳୀୟ ପ୍ରାର୍ଥୀ ଇଂଜିନିୟର ହିମାଂଶୁ ମଲ୍ଲିକଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ। ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବାଇକ୍‌ ର୍ୟାଲି କରିଛନ୍ତି ଦଳୀୟ ନେତା ଓ କର୍ମୀ।

Leave a Reply

Your email address will not be published. Required fields are marked *