ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା

ଭୁବନେଶ୍ୱର:- ବଳ ଜୁଟାଉଛି ଲଘୁଚାପ । ଏହା ଭୀଷଣ ଅବପାତ (ଡିପ୍‌ ଡିପ୍ରେସନ୍‌) ରୂପ ନେଇପାରେ । ଏହା ଓଡ଼ିଶା ଆସିବ ନାହିଁ । ଯିବ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ । କିନ୍ତୁ, ଓଡ଼ିଶା ଉପକୂଳ ପାଖ ଦେଇ ଆଗକୁ ବଢ଼ିବ। ତେଣୁ ଓଡ଼ିଶାରେ ଆହୁରି ଦୁଇଦିନ ବର୍ଷା କରାଇବ। ବିଶେଷ କରି ଆଜି ଉପକୂଳ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନଟ (ୱେଲ୍‌ ମାର୍କଡ) ଅବସ୍ଥାରେ ଅଛି । ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତ (ଡିପ୍ରେସନ) ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତ (ଡିପ୍‌ ଡିପ୍ରେସନ୍‌) ହେବା ସମ୍ଭାବନା ଅଛି । ଗୁରୁବାର ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ଗତିି କରିବ । ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢ଼ିବ । ସମ୍ଭବତଃ ୨୪ ତାରିଖ ସକାଳେ ଅବପାତ ଅବସ୍ଥାରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ଏହା ପ୍ରଭାବରେ ବୁଧବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗୁରୁବାର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷା ଯୋଗୁ ତଳି ଅଞ୍ଚଳରେ ପାଣି ପଶିବା ସହ କେତେକ ଜାଗାରେ ଭୂସ୍ଖଳନ ହୋଇପାରେ । ଏହାବାଦ୍‌ ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି।

ଶୁକ୍ରବାର ଉପକୂଳ ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ । ଶନିବାରଠାରୁ ବର୍ଷା ପରିମାଣ କମିବ । ତଥାପି କିଛି କିଛି ଜାଗାରେ ବର୍ଷା ସମ୍ଭାବନା ଅଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ସମ୍ଭବତଃ ପଶ୍ଚିମବଙ୍ଗକୁ ଯିବ । ଓଡ଼ିଶା ଉପକୂଳରୁ ୬୦ରୁ ୧୦୦ କିମି ଦୂରରେ ଯିବା ସମ୍ଭାବନା ଥିବାରୁ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୪ରୁ ବର୍ଷା କମିଲେ ମଧ୍ୟ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତିଦିନ କେତେକ ଜାଗାରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ ।

ତେବେ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଭିନ୍ନ । ତାଙ୍କ ଆକଳନ ହେଲା, ଏହି ଲଘୁଚାପ ଘନୀଭୂତ ହେଲେ ମଧ୍ୟ ବିଶେଷ ବର୍ଷା ହେବନି ଓଡ଼ିଶାରେ। ସେ ପୂର୍ବାନୁମାନ କରିଛନ୍ତି, ୨୨ ତାରିଖ ମଧ୍ୟାହ୍ନବେଳକୁ ଲଘୁଚାପ ଅବପାତରେ ପରିଣତ ହୋଇ ପଳାଶା ଓ ଗୋପାଳପୁରଠାରୁ ଦୂରରେ ଥିବ। ୨୩ ତାରିଖ ମଧ୍ୟାହ୍ନବେଳକୁ ଗଭୀର ଅବପାତ ଅବସ୍ଥାରେ ଚାନ୍ଦବାଲିରୁ ଦୂରରେ ଥିବ। ମଧ୍ୟରାତ୍ରିବେଳକୁ ପଶ୍ଚିମବଙ୍ଗ-ବାଂଲାଦେଶର ସାଗର ଦ୍ୱୀପ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ବାଂଲାଦେଶ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି।

୨୧ରୁ ୨୩ ତାରିଖ ଭିତରେ ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ଗଜପତି, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ସମୁଦ୍ର ସଂଲଗ୍ନ ଅଞ୍ଚଳରେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ। ୨୪ ଓ ୨୫ରେ ରାଜ୍ୟର ଅଧିକାଂଶ ଜାଗାରେ ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ। ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲୁକାରୁ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *