ଆକ୍ସନ ମୋଡରେ କମିଶନରେଟ୍ ପୁଲିସ, କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର୍, କୋଚିଂ ସେଂଟର ଓ ସପିଂ ମଲ୍ ସିଲ୍

ଭୁବନେଶ୍ଵର:-ଆକ୍ସନ ମୋଡରେ ଅଛି କମିଶନରେଟ ପୁଲିସ । ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରୁଛି, ଅମାନିଆଙ୍କୁ ଧରି ଫାଇନ କଷୁଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କମିସନରେଟ ପୁଲିସ ବାର, କୋଚିଂ ସେଂଟର ଓ ସପିଂ ମଲକୁ ସିଲ୍ କରିଛି ।

ଦଶହରାରେ କରୋନା ଭୟ । ଆକ୍ସନ ମୋଡରେ କମିଶନରେଟ ପୁଲିସ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହୋଇଛି ବାର୍ । ସିଲ୍ ହୋଇଛି କୋଚିଂ ସେଂଟର । ସେହିପରି ସିଲ୍ ହୋଇଛି ଫେସନ୍ ସିଟି ମଲ୍ । ରାଜଧାନୀ ଇନଫୋସିଟି ଅଂଚଳର ବାରରେ ଏକ ଜନ୍ମଦିନ ଉତ୍ସବ ଧୁମଧାମରେ ପାଳନ କରାଯାଉଥିଲା । ନା ସେଠି କେହି ସାମାଜିକ ଦୂରତାକୁ ମାନିଥିଲେ, ନା କିଏ ମାସ୍କ ପିନ୍ଧିଥିଲେ । ବାର୍ଥ ଡେ ପାର୍ଟିରେ କୋଭିଡ କଟକଣା ଉଲ୍ଲଂଘନ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ବାରକୁ ସିଲ କରିଛି ।

ସେହିପରି କୋଭିଡ୍ ନିୟମ ଉଲଂଘନ କରି ଉତ୍ସବ ପାଳନ କରୁଥିବା ଅଭିଯୋଗରେ ଭୁବନେଶ୍ୱରରେ କୋଚିଂ ସେଂଟରକୁ ମଧ୍ୟ ସିଲ୍ କରାଯାଇଛି  । ନାଗେଶ୍ୱର ଟାଙ୍ଗିରେ ଥିବା ବେଂଚମାର୍କ କୋଚିଂ ସେଂଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ଅଂଚଳରେ ଥିବା ଫେଶନ୍ ସିଟି ମଲକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ପୂଜା ଯୋଗୁଁ ମଲରେ ଗ୍ରାହକଙ୍କ ଗହଳି ଥିବା ବେଳେ ମଲ୍ କର୍ତ୍ତୃପକ୍ଷ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ପରେ ଏପରି ଆକ୍ସନ ନେଇଛି ବିଏମସି ।

ଦଶହରା ପାଖେଇ ଆସୁଥିବା ବେଳେ କହିବାକୁ ଗଲେ ପ୍ରଶାସନକୁ ଘାରିଛି କରୋନା ଭୟ । ଗତ ୨୪ ଘଂଟାରେ କୋଭିଡ ନିୟମ ଉଲ୍ଲଂଘନକାରୀ ୧୫୯୭ ଅମାନିଆ ଓ ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୁଲିସ ।

Leave a Reply

Your email address will not be published. Required fields are marked *