‘ହତ୍ୟାକାରୀ’ ଆକ୍ଷେପ କରିଥିଲେ ଅର୍ଣ୍ଣବ, ମାନହାନୀ ମୋକଦ୍ଦମା କରି ୨୦୦ କୋଟି ଟଙ୍କା ଦାବି କଲେ ସୁଶାନ୍ତ ସିଂହଙ୍କ ସାଙ୍ଗ ସନ୍ଦୀପ ସିଂହ
ନୂଆଦିଲ୍ଲୀ:- ଅର୍ଣ୍ଣବ ଗୋସ୍ଵାମୀଙ୍କ ନାମରେ ପୁଣି ଆଉ ଏକ ମାମଲା। ମାନହାନୀ କେସ୍ କରିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ତଥା ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂହ। ତାଙ୍କୁ ବଦନାମ କରିବା ଏବଂ ତାଙ୍କ ସମ୍ମାନ ଓ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିବା ଅଭିଯୋଗରେ ସେ ରିପ୍ଲବିକ୍ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ ଏହି ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ଏଥିସହ କ୍ଷତିପୂରଣ ଭାବେ ୨୦୦ କୋଟି ଟଙ୍କା ଦାବି କରିଛନ୍ତି।
ସନ୍ଦୀପ ସିଂହ ଅଭିଯୋଗ କରିଛନ୍ତି, ରିପବ୍ଲିକ୍ ଟିଭି ସର୍ବସାଧାରଣରେ ତାଙ୍କର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିଛନ୍ତି ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଏବଂ ହତ୍ୟାକାରୀ ବୋଲି କହିଛନ୍ତି।
ଆଡଭୋକେଟ୍ ରାଜେଶ କୁମାରଙ୍କ ମାଧ୍ୟମରେ ପଠାଯାଇଥିବା ନୋଟିସ୍ରେ କୁହାଯାଇଛି ଯେ, ଚ୍ୟାନେଲର କାର୍ଯ୍ୟକଳାପ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୪୯୯ ଉଲ୍ଲଂଘନ କରିଛି, ଯାହା ଧାରା ୫୦୦ ଅନୁଯାୟୀ ସେ ଦଣ୍ଡନୀୟ।
ଚ୍ୟାନେଲ ସମସ୍ତ ମନ୍ଦ ଫୁଟେଜ୍, ଲେଖା କାଟିବା ସହ ଏସ ସିଂହଙ୍କ ବିରୋଧରେ ସମସ୍ତ ପ୍ରସାରଣ ବନ୍ଦ କରିବାକୁ ନୋଟିସ୍ରେ ଦାବି କରାଯାଇଛି। ସନ୍ଦୀପ ସିଂହ କହିଛନ୍ତି ଗତ ଚାରି ମାସରେ ମୁଁ ଯେଉଁ ଛବି ଏବଂ ସମ୍ମାନ ହରାଇଲି, ଅର୍ଥ ଏକାକୀ ତାର ଭରଣା କରି ପାରିବ ନାହିଁ। ଫିଲ୍ମ ନିର୍ମାତା ଭାବେ ନିଜର ପ୍ରତିଷ୍ଠା ତିଆରି ପାଇଁ ୨୦ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିଛି। କିନ୍ତୁ ଚ୍ୟାନେଲ ମୋତେ ଚାରି ମାସ ଧରି ବଦନାମ କରି ଚାଲିଛି।