ମୁମ୍ବାଇର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା
ଦୁବାଇ,:-କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ହାଇ ଭୋଲଟେଜ୍ ମୁକାବିଲାରେ ମୁମ୍ବାଇ ୮ ଓ୍ୱିରେଟରେ ବିଜୟ ଲାଭ କରିଛି । କେକେଆର ତରଫରୁ ଧାର୍ଯ୍ୟ ୧୪୯ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ସହଜରେ ହାସଲ କରିନେଇଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା କୋଲକାତା ନାଇଟ୍ ରାଇଡର୍ସର ଆରମ୍ଭ ନିରାଶଜନକ ଥିଲା। ଦଳ ୧୮ ରନ ସ୍କୋରରେ ରାହୁଲ ତ୍ରିପାଠୀ(୫ ରନ)ଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ଥରେ ବିଫଳ ହୋଇ ନୀତିଶ ରାଣା ମାତ୍ର ୫ ରନ କରି ବିଦାୟ ନେଇଥିଲେ। ୪୩ ରନ ସ୍କୋରରେ ଶୁଭମାନ ଗିଲ୍ ୨୩ ବଲରୁ ୨ ଚୌକା ସହ ୨୧ ରନ କରି ରାହୁଲ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ। ଅଧିନାୟକ ପଦ ଛାଡିଥିଲେ ମଧ୍ୟ ଦିନେଶ କାର୍ତ୍ତିକ ଖରାପ ପ୍ରଦର୍ଶନ ଜାରି ରଖି ମାତ୍ର ୪ ରନ କରି ରାହୁଲ ଚହରଙ୍କ ବଲ୍ରେ କ୍ଲିନ ବୋଲ୍ଡ ହୋଇଥିଲେ। ଆନ୍ଦ୍ରେ ରସେଲ ଚଳିତ ସଂସ୍କରଣରେ ନିଜର ଦୁର୍ବଳ ଫର୍ମ ଜାରି ରଖି ୧୨ ରନ କରି ପାଭିଲିୟନ ଫେରିଥିଲେ।
୧୦.୪ ଓଭରରେ ୬୧ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା କୋଲକାତା ନାଇଟ୍ ରାଇଡର୍ସର ଇନିଂସକୁ ଅଧିନାୟକ ଇଅନ ମୋର୍ଗାନ ଓ ପାଟ୍ କମିନ୍ସ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ଧୈର୍ଯ୍ୟ ଓ ସଂଯମତାର ସହ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ମୁମ୍ବାଇ ବୋଲରଙ୍କ ମୁକାବିଲା କରି ଅବିଭାବିତ ଷଷ୍ଠ ଓ୍ଵିକେଟ୍ରେ ୮୭ ରନ ଯୋଡିଥିଲେ। ଫଳରେ କୋଲକାତା ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୮ ରନର ସମ୍ମାନଜକ ସ୍କୋର କରିବାରେ ସକ୍ଷମ ହୋଇଛି। ପାଟ୍ କମିନ୍ସ ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ହାସଲ କରି ୩୬ ବଲରୁ ୫ ଚୌକା ଓ ୨ ଛକା ସହ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଧିନାୟକ ମୋର୍ଗାନ ୩୯ ରନ କରି କ୍ରିଜରେ ଥିଲେ। ମୁମ୍ବାଇ ପକ୍ଷରୁ ରାହୁଲ ଚହର ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଡ, ଯଶପ୍ରୀତ ବୁମରା ଓ ନାଥନ କୁଲଟର ନାଇଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।