ପୁରୀ ବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ୍ ମାନ୍ୟତା
ଭୁବନେଶ୍ବର,:-ପୁରୀ ବେଳାଭୂମି ଆଣିଲା ରାଜ୍ୟପାଇଁ ଗୌରବ। ପୁରୀ ବେଳାଭୂମିକୁ ମିଳିଲା ଵ୍ଲୁ ଫ୍ଲାଗ୍ ବିଚର ମାନ୍ୟତା। ଫଳରେ ବିଶ୍ୱସ୍ତରରେ ପୁରୀ ବେଳାଭୂମିର ମାନ୍ୟତା ବୃଦ୍ଧି ପାଇଛି। ଡେନମାର୍କର ଫେଡେରେସନ୍ ଅଫ୍ ଏନଭରମେଣ୍ଟାଲ୍ ଏଜୁକେସନ ଆନ୍ତର୍ଜାତିକ ଜୁରୀ ପୁରୀ ବେଳାଭୂମିକୁ ଵ୍ଲୁ ଫ୍ଲାଗ ମାନ୍ୟତା ପ୍ରଦାନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ସୂଚନା ଦେଇଛନ୍ତି। ନବୀନ ଟୁଇଟ କରି କହିଛନ୍ତି ଯେ, ପରିବେଶ ନିୟମକୁ ଗୁରୁତ୍ବ ଦିଆଯାଇ ପୁରୀ ବିଚରେ ବିକାଶ ମୂଳକ କାମ କରାଯାଇଥିବାରୁ ବିଶ୍ବସ୍ତରୀୟ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ତେଣୁ ଏଫ୍ଇଇ ଡେନମାର୍କ ପକ୍ଷରୁ ଏହି ସମ୍ମାନଜନକ ଟ୍ୟାଗ୍ ମିଳିଛି। ଅପରପକ୍ଷେ ପୁରୀ ସହରବାସୀ, ଗଣମାଧ୍ୟମ ପ୍ରତିନିଧି ଓ ସହଭାଗୀମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି।
ଦୀର୍ଘ ଦେଢ଼ ବର୍ଷର ପରିଶ୍ରମ ଆଜି ସାକାର ହୋଇଛି। ବେଳାଭୂମି ଵ୍ଲୁ ଫ୍ଲାଗ୍ ବିଚର ମାନ୍ୟତା ପାଇଛି। ଏଥିପାଇଁ ୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବେଳାଭୂମିରେ ସାର୍ବଜନୀନ ଶୌଚାଳୟ, ଚେଜିଂ ଓ ଶାଓ୍ଵାର ରୁମ, ଓ୍ଵାଚ୍ ଟାଓ୍ଵାର, ସୋଲାର ଲାଇଟିଂ ସିଷ୍ଟମ, ବସିବା ବ୍ୟବସ୍ଥା, ସୁରକ୍ଷିତ ସୁଇମିଂ ଜୋନ ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ, ସମୁଦ୍ରକୂଳ ସୁରକ୍ଷା ତଥା ଭିତ୍ତିଭୂମିର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି।
ଆର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଦେଶର ୮ଟି ବେଳାଭୂମିରେ ଉଡିଥିଲା ଆଇ ଆମ୍ ସେଭିଂ ମାଇଁ ବିଚ୍ ଫ୍ଲାଗ୍। ଆଜି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି ୮ ଟି ବେଳାଭୂମି ମଧ୍ୟରେ ପୁରୀ ସାମିଲ। ଏହି ମାନ୍ୟତା ପାଇବାରେ ଦେଶର ଅନ୍ୟ ସାତ ବେଳାଭୂମିରେ ଗୁଜରାଟର ଶିବରାଜପୁର, ଡିଉର ଘୋଘଲା, କର୍ଣ୍ଣାଟକର କାସରକୋଡ, କର୍ଣ୍ଣାଟକର ପଦୁବିଦ୍ରୀ, କେରଳର କପ୍ପଡ, ଆନ୍ଧ୍ର ପ୍ରଦେଶର ରୁଷିକୋଣ୍ଡା ଓ ଆଣ୍ଡାମାନର ରାଧାନଗର।
ପୁରୀ ଗୋଲଡେନ୍ ବିଚ୍ରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆଇ ଆମ୍ ସେଭିଂ ମାଇ ବିଚ୍ ଫ୍ଲାଗ୍ କୁ ଉତ୍ତୋଳନ କରାଯାଇଥିଲା। ଗାନ୍ଧୀଘାଟ ଠାରୁ ହୋଟେଲ ମେଫେୟାର ପର୍ୟ୍ୟନ୍ତ ୯୦୦ ମିଟର ଅଞ୍ଚଳକୁ ପାଇଲଟ୍ ବ୍ଲୁ ଫ୍ଲାଗ ବିଚ୍ ଭାବେ ଚିହ୍ନଟ କରି ଉନ୍ନତିକରଣ କାର୍ଯ୍ୟ କରାଯାଇଥିଲା। ୧୫୦ ମିଟର ଲମ୍ବ ଓ ୩୫ ମିଟର ଓସାରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗାଧାଇବା ଓ ପହଁରିବା ପାଇଁ ନିରାପଦ ସ୍ଥାନ ଭାବରେ ଚିହ୍ନଟ କରାଯାଇଛି।