ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି , ୧୩ ଯାଏଁ ନିସ୍ତାର ନାହିଁ, ୧୪ରେ ଆଉ ଏକ ଲଘୁଚାପ

 ଭୁବନେଶ୍ବର:- ବର୍ଷାକୁ ନେଇ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି । ଚିଠି ଲେଖି ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ସାରିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ର୍ଷା ଆଶଙ୍କାରେ କେତେକ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କେତେକ ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟୋଲୋ ଓ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପି.କେ ଜେନା । ରାଜ୍ୟର ଦକ୍ଷିଣ ଓ ଉପକୂଳ ଓଡିଶାରେ ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହି ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତଳିଆ ଅଂଚଳରେ ପାଣି ଜମିପାରେ । ପାହାଡିଆ ଅଂଚଳରେ ଭୂସ୍ଖଳନ ଭଳି ସ୍ଥିତି ଉପୁଜିପାରେ । ତେଣୁ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।ତେବେ ବର୍ଷା ନେଇ ସାରା ଜିଲ୍ଲାକୁ ସତର୍କ କରାଯାଇଥିବା ବେଳେ ୧୩ ତାରିଖ ଯାଏଁ ବର୍ଷାରୁ ନିସ୍ତାର ନାହିଁ । ଆଉ ଠିକ ଏତିକି ବେଳେ ଆସନ୍ତା ୧୪ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *