କୃଷି ବିଲ୍ ବିରୋଧରେ ଆଜିଠାରୁ ରାହୁଲ ଗାନ୍ଧୀଙ୍କ ବିଶାଳ ଟ୍ରାକ୍ଟର ରାଲି ଆରମ୍ଭ
ଚଣ୍ଡିଗଡ଼:- କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ଦେଶବ୍ୟାପି ଚାଷୀ ଆନ୍ଦୋଳନ ଜାରି ରହିଛି। ଏହା ସହ ବିରୋଧୀ ମଧ୍ୟ ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏତେ ସବୁ ହଙ୍ଗାମା ପରେ ମଧ୍ୟ କୃଷି ବିଲରେ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି ସରକାର। ଆଜି (ରବିବାର) ଅକ୍ଟୋବର ୪ରେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀଙ୍କ ସମର୍ଥନରେ ବିଶାଳ ଟ୍ରାକ୍ଟର ରାଲି ପଞ୍ଜାବରୁ ଆରମ୍ଭ କରିଛନ୍ତି। ତେବେ ଏ ରାଲି ଉଭୟ ପଞ୍ଜାବ ଓ ହରିଆଣାରେ ହେଉଛି। ରାଲିରେ ବହୁ ସଂଖ୍ୟକ ଚାଷୀ ସାମିଲ ହେବା ନେଇ ଆଶା ରହିଛି।
ରାଲି ମୋଗାରୁ ଆରମ୍ଭ ହେବ ଓ ହରିଆଣା ରାସ୍ତା ଦେଇ ଦିଲ୍ଲୀରେ ଶେଷ ହେବ। ରାଲିକୁ ନେଇ କଂଗ୍ରେସ ପୂରା ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇଛି। ସୁରକ୍ଷାର ସମସ୍ତ ବ୍ୟବସ୍ଥା କରି ପଞ୍ଜାବ ସରକାର ପକ୍ଷରୁ ରାଜ୍ୟରେ ୧୦ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ଚାଷୀ ସଂଗଠନ ଏହି ରାଲିକୁ ସମର୍ଥନ କରିବା ନେଇ କଂଗ୍ରେସର ଜଣେ ପ୍ରବକ୍ତା କହିଛନ୍ତି। ତିନି ଦିନ ହେବାକୁ ଥିବା ଏ ରାଲି ସକାଳ ୧୧ଟାରୁ ଆରମ୍ଭ ହେବ। ଅର୍ଥାତ ଅକ୍ଟୋବର ୬ ପର୍ଯ୍ୟନ୍ତ ଏହା ଚାଲିବ ଓ କରୋନାର ସମସ୍ତ ନିମୟ ମଧ୍ୟ ପାଳନ କରାଯିବ।










