ଭାରତରେ ୬୫ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୭୫୮୨୯ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ:-ସାରାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୭୫,୮୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୪୦ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଦେଶରେ କରୋନାର ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ୬୫ଲକ୍ଷ ପାର୍ ହୋଇଛି । ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତ ସଂଖ୍ୟା ୬୫,୪୯,୩୭୪ରେ ପହଞ୍ଚିଛି । ଏହା ମଧ୍ୟରୁ ୯,୩୭,୬୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୫,୦୯,୯୬୭ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସେହିପରି ୧,୦୧,୭୮୨ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
ସେହିପରି ୩ ଅକ୍ଟୋବର ପର୍ଯ୍ୟନ୍ତ ଦେଶରେ ୭,୮୯,୯୨,୫୩୪ ସାମ୍ପୁଲ ପରୀକ୍ଷଣ ହୋଇସାରିଛି । ଏହାମଧ୍ୟରୁ ୧୧,୪୨,୧୩୧ ସାମ୍ପୁଲ ଶନିବାର ଦିନ ପରୀକ୍ଷଣ କରାଯାଇଛି । ଆଇସିଏମ୍ଆର୍ ପକ୍ଷରୁ ଏହି ସୂଚନା ଦିଆଯାଇଛି ।