ଅନଲକ୍‌-୫ରେ ଖୋଲିପାରେ ସିନେମା ହଲ୍‌ ସହ ଏହି ସବୁ ଜିନିଷ

ନୂଆଦିଲ୍ଲୀ,: ଦେଶରେ ଅନ୍‌ଲକ୍‌-୪ର ସମୟସୀମା ଶେଷ ହେବାକୁ ବସିଛି । ଏବେ ସମସ୍ତଙ୍କ ନଜର ଅନ୍‌ଲକ୍‌-୫ ଉପରେ । ଅକ୍ଟୋବର-୧ରୁ ଲାଗୁ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ଅନ୍‌ଲକ୍‌ରେ କେନ୍ଦ୍ର ସରକାର ସିନେମା ହଲ୍‌ଗୁଡିକୁ ଖୋଲିବାର ଅନୁମତି ଦେଇପାରନ୍ତି ବୋଲି ଜଣାପଡିଛି । ପାର୍ବଣ ଋତୁ ଆସୁଥିବାରୁ ସରକାର ଏଥିପ୍ରତି ଯତ୍ନଶୀଳ ହୋଇ ଅର୍ଥନୀତିକୁ ଆଗକୁ ବଢ଼ାଇବାକୁ ଚିନ୍ତା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍‌ଲକ୍‌-୫ ବାବଦରେ ୭ ସର୍ବାଧିକ ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ମୋଦି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଣୁ କଣ୍ଟେନମେଣ୍ଟ ଜୋନ ବାହାରେ ସମସ୍ତ କାର୍ଯ୍ୟ ସାଧାରଣ ଭାବେ ଚାଲିପାରିବ ବୋଲି ଚର୍ଚ୍ଚା ହେଉଛି ।

ମାର୍ଚ୍ଚ ୨୫ରେ ଲକ୍‌ଡାଉନ ଲାଗୁ ହେବା ପରଠାରୁ ଦେଶବ୍ୟାପୀ ସିନେମା ହଲ୍‌ ବନ୍ଦ ରହିଛି । ସିନେମା ହଲ୍‌ ଖୋଲିବାକୁ ମଲ୍ଟିପ୍ଲେକ୍ସ ସଂଘ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି । ଏଣୁ ଏହି ଅପିଲ ରକ୍ଷା କରି ସାମାଜିକ ଦୂରତା ସହ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦିଆଯାଇପାରେ । ହଲ୍‌ ମଧ୍ୟରେ ଗୋଟିଏ ଲେଖାଏଁ ସିଟ୍‌ ଛାଡି ଦର୍ଶକମାନେ ବସିବାର ସୁବିଧା ରହିବ । ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ପ୍ରଥମ ରାଜ୍ୟ ଭାବେ ଅକ୍ଟୋବର ୧ରୁ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦେଇସାରିଛି ।

ଅନ୍ୟପକ୍ଷରେ ଅନ୍‌ଲକ୍‌-୫ରେ ପ୍ରାଥମିକ ସ୍କୁଲଗୁଡିକ ପୂର୍ବ ଭଳି ବନ୍ଦ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ।

କିନ୍ତୁ ହାଇସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇପାରନ୍ତି । ପୂର୍ବରୁ ନବମରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜ ଇଚ୍ଛାରେ ସ୍କୁଲ ଯାଇ ପାଠ ବୁଝିପାରିବେ ବୋଲି ସରକାର ଅନୁମତି ଦେଇଥିଲେ । କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ବ୍ୟାପକ କ୍ଷତି ପହଞ୍ଚିଛି ।

Leave a Reply

Your email address will not be published. Required fields are marked *