ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍

ନୂଆଦିଲ୍ଲୀ:-କରୋନା କାଳରେ ବାଜିଲା ନିର୍ବାଚନ ବିଗୁଲ । ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ନିର୍ବାଚନ ମୈଦାନ ସରଗରମ ହେବାକୁ ଯାଉଛି । ନଭେମ୍ବର ୩ରେ ଦୁଇଟି ଯାକ ଆସନରେ ମତଦାନ ହେବ । କରୋନା ମହାମାରୀ ଚାଲିଥିବା ସମୟରେ ଏହି ଉପନିର୍ବାଚନ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ମହତ୍ୱ ରଖୁଛି । ସରକାରଙ୍କ କୋଭିଡ୍ ପରିଚାଳନା ନେଇ ଏହି ଦୁଇଟି ଅଂଚଳର ଭୋଟର ମତଦାନ କରିପାରନ୍ତି । ତେଣୁ ରାଜନୈତିକ ନେତା ଓ ପର୍ଯ୍ୟବେକ୍ଷକ ମହଲରେ ଏହି ନିର୍ବାଚନ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆକଳନ କରାଯାଉଛି ।

ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । କଟକଣା ଭିତରେ ହେବ ନିର୍ବାଚନ । ଟିକେଟକୁ ନେଇ ଲବି ଓ ରାଜନୈତିକ ଛକାପଞ୍ଝା ଭିତରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଘୋଷଣା ହୋଇଛି ଉପ-ନିର୍ବାଚନର ତାରିଖ । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ପଡ଼ିବ ଭୋଟ୍ । ଉପ-ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ।

ନଭେମ୍ବର ୧୦ ତାରିଖରେ ଉଭୟ ଆସନରେ ଭୋଟ୍ ଗଣତି ହେବ । ଆଉ ପୁରା ପ୍ରକ୍ରିୟା ଚାଲିବ କୋଭିଡ୍ କଟକଣା ଭିତରେ ।
-ପ୍ରାର୍ଥୀମାନେ ଉଭୟ ଅନଲାଇନ୍ ଓ ଅଫଲାଇନରେ ନାମାଙ୍କନ ଦାଖଲ କରିପାରିବେ
-ଅଫଲାଇନ୍ ନାମାଙ୍କନ ସମୟରେ ମାତ୍ର ଦୁଇ ଜଣଙ୍କୁ ସାଥୀରେ ନେଇ ଯାଇପାରିବେ
-ନାମାଙ୍କନ ସମୟରେ ସାଥୀରେ ୨ରୁ ଅଧିକ ଗାଡି ନେଇ ଯାଇପାରିବେ ନାହିଁ ପ୍ରାର୍ଥୀ
-ପ୍ରଚାର ସମୟରେ ୫ରୁ ଅଧିକ ଲୋକ କୌଣସି ଘରକୁ ଯାଇପାରିବେ ନାହିଁ
-ଡିଜିଟାଲ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି
-ମତଦାନ ସମୟରେ ଜନଗହଳି ନିୟନ୍ତ୍ରଣ ଉପରେ ଧ୍ୟାନ ଦିଆଯିବ
-ଉପ-ନିର୍ବାଚନରେ କରୋନା ପୀଡିତ ବି କରିପାରିବେ ମତଦାନ
-କରୋନା ଆକ୍ରାନ୍ତମାନେ ଶେଷ ସମୟରେ ଭୋଟ୍ ଦେଇପାରିବେ

ବାଲେଶ୍ୱର ସଦର ଆସନକୁ ଦେଖିବା ଏଠି, ବିଜେଡିର ତିନି ପ୍ରମୁଖ ଚେହେରାଙ୍କ ନାଁ ଚର୍ଚ୍ଚା ହେଉଛି । ଜୀବନ ପ୍ରଦୀପ ଦାସ, ରବୀନ୍ଦ୍ର ଜେନା ଏବଂ ଅଭିନେତା ଅରିନ୍ଦମ । ସେହିପରି ବିଜେପି ଏବଂ କଂଗ୍ରେସରେ ଯେଉଁ ନେତାଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ସେମାନେ ହେଲେ ମାନସ ଦତ ଏବଂ ନବଜ୍ୟୋତି ପଟ୍ଟନାୟକ ।

ସେହିପରି ତିର୍ତୋଲ ଆସନରେ ବିଜେଡି ପାଇଁ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ନାଁ ସବୁଠୁ ଆଗରେ ରହିଛି । ଆଉ ବିଜେପିରେ ରାଜ କିଶୋର ବେହେରା ଏବଂ ଉମାକାନ୍ତ ଭୋଇଙ୍କ ନାଁ ସବୁଠୁ ଆଗରେ ରହିଛି । ସେହିପରି କଂଗ୍ରେସରେ ହିମାଂଶୁ ମଲ୍ଳିକଙ୍କ ନାଁ କଂଗ୍ରେସ ଟିକେଟ୍ ପାଇଁ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *