କରୋନା ଟିକା ପାଇଁ ବଳିପଡିବେ ୫ ଲକ୍ଷ ସାର୍କ

ନ୍ୟୁୟର୍କ: –କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଏବେ ଅନେକ ଦେଶରେ ଟୀକା ପ୍ରସ୍ତୁତ କରିବାକୁ ଉଦ୍ୟମ ଜାରି ରହିଛି । ତେବେ ଏଭଳି ଟୀକା ପାଇଁ ଏକ ସାମୁଦ୍ରିକ ଜୀବର ଜୀବନ ପ୍ରତି ବିପଦ ଦେଖାଦେଇଛି । ଏହି ଜୀବଟି ହେଉଛି ସାର୍କ । କୁହାଯାଉଛି କି କରୋନା ଟୀକା ପ୍ରସ୍ତୁତି ପାଇଁ ପ୍ରାୟ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯିବ ।

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଏକ ସଂସ୍ଥା ସାର୍କ ଆଲାଏଜ୍‌ ଦାବି କରିଛି ଯେ ସାର୍କଙ୍କ ଯକୃତରୁ ସ୍କ୍ୱାଲିନ୍‌ ନାମକ ଏକ ତୈଳ ମିଳିଥାଏ । ବିଭିନ୍ନ ପ୍ରକାର ଟୀକାର ପ୍ରଭାବ ବୃଦ୍ଧି କରିବା ପାଇଁ ଏହାକୁ ବ୍ୟବହାର କରାଯାଏ । ଏବେ ଯେଉଁ କେତେକ କରୋନା ଟୀକା ବିକାଶ କରାଯାଉଛି, ସେଥିମଧ୍ୟରୁ କିଛି ଟୀକାରେ ଏହି ତୈଳର ଉପଯୋଗ କରାଯାଉଛି । ଏହା ସାର୍କମାନଙ୍କ ପ୍ରତି ବଡ଼ ବିପଦ ସୃଷ୍ଟି କରିବ ।

କାରଣ ସେଭଳି କିଛି ଟୀକା ଯଦି ପୂରା ବିଶ୍ୱରେ ବ୍ୟବହାର କରାଯିବ, ତାହାହେଲେ ଏହାଯୋଗୁ ପ୍ରାୟ ୨.୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯିବ । ଏତିକି ସଂଖ୍ୟକ ସାର୍କଙ୍କୁ ମାରିଲେ କରୋନା ଟୀକାର ମାତ୍ର ଗୋଟିଏ ଡୋଜ୍‌ ଜଣେ ବ୍ୟକ୍ତିକୁ ଦିଆଯାଇପାରିବ । କିନ୍ତୁ ଜଣେ ବ୍ୟକ୍ତିକୁ କରୋନା ମୁକ୍ତ ରଖିବାକୁ ହେଲେ ଅତି କମରେ ଟୀକାର ଦୁଇଟି ଡୋଜ୍‌ ଦରକାର ବୋଲି ଗବେଷକମାନେ କହୁଛନ୍ତି । ତେଣୁ ଏଥିପାଇଁ ପ୍ରାୟ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯିବ  । ଉକ୍ତ ସଂସ୍ଥାର ପ୍ରମୁଖ  କରୋନା ଟୀକା ପ୍ରସ୍ତୁତି ପାଇଁ ସାର୍କଙ୍କ ଦେହରୁ ମିଳୁଥିବା ସ୍କ୍ୱାଲିନ ତେଲର ବ୍ୟବହାରକୁ ଜୋରଦାର ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ସେ କରୋନା ଟୀକା ପ୍ରସ୍ତୁତିକୁ ବିରୋଧ କରନ୍ତି ନାହିଁ । ସେ କେବଳ ଏତିକି ଚାହାନ୍ତି କି ଏଥିପାଇଁ ଆବଶ୍ୟକ ହେଉଥିବା ସ୍କ୍ୱାଲିନ୍‌ ସାର୍କମାନଙ୍କ ଦେହରୁ ସଂଗ୍ରହ କରିବା ବଦଳରେ ଅନ୍ୟ କୌଣସି ସ୍ରୋତରୁ ସଂଗ୍ରହ କରାଯାଉ ।

Leave a Reply

Your email address will not be published. Required fields are marked *