ପର୍ଯ୍ୟଟନସ୍ଥଳୀର ରୂପ ବଦଳାଇ ଦେଇଛି ଲକ୍ଡାଉନ୍ : ହସୁଛି ସବୁଜିମା
ଭୁବନେଶ୍ୱର:-ଓଡ଼ିଶାର ପରିବେଶ ଓ ପର୍ଯ୍ୟଟନସ୍ଥଳୀର ଚିତ୍ର ବଦଳାଇ ଦେଇଛି ଲକ୍ଡାଉନ୍ । ଆଶ୍ଚର୍ଯ୍ୟଜନକ ଭାବେ ଚାରିଆଡ଼ ପୂର୍ବାପେକ୍ଷା ଅଧିକ ସବୁଜ ଏବଂ ସୁନ୍ଦର ଦିଶୁଛି । ସବୁଜିମାଭରା ପ୍ରକୃତି କୋଳରେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ବେଶ୍ ଆକର୍ଷିତ କରୁଛି, ଯାହାର ଚିତ୍ର ଦେଖିବାକୁ ମିଳୁଛି ସୋସିଆଲ୍ ମିଡିଆରେ । ବହୁ ଫଟୋଗ୍ରାଫର, ପ୍ରକୃତିପ୍ରେମୀ, ପରିବେଶବିତ୍, ଟୁର୍, ଟ୍ରାଭେଲ୍ ଏଜେନ୍ସି ଏବଂ ସାଧାରଣ ଲୋକ ସୋସିଆଲ୍ ମିଡିଆରେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଫଟୋ ପୋଷ୍ଟ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟ ନିଜର ସୋସିଆଲ୍ ମିଡିଆ ସାଇଡ୍ରେ ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀର ଆକର୍ଷଣୀୟ ଫଟୋ ନାଁ ସହ ପୋଷ୍ଟ୍ କରି ପର୍ଯ୍ୟଟନ ଶିଳ୍ପର ପ୍ରଚାର, ପ୍ରସାର କରିବାରେ ଲାଗିଛନ୍ତି ।ବର୍ତ୍ତମାନ ଲକ୍ଡାଉନ୍ ଲକ୍ ପକାଇ ଦେଇଛି । ବିଦେଶୀ ପର୍ଯ୍ୟଟକ ଆସିବାର ନାହିଁ କି ଦେଶୀୟ ପର୍ଯ୍ୟଟକ ବିଦେଶ ଯିବାର ନାହିଁ । ପର୍ଯ୍ୟଟନସ୍ଥଳୀ ସବୁ ଖାଁ ଖାଁ । ସ୍ଥିତି ପରଖିବାକୁ ଗ୍ରାଉଣ୍ଡ୍ରେ କେହି ନାହାନ୍ତି । ଯେଉଁ ପର୍ଯ୍ୟଟନସ୍ଥଳୀ ଧାର୍ମିକପୀଠ ସହ ଜଡ଼ିତ ସେଠି କେବଳ ପୂଜକଙ୍କୁ ଛାଡ଼ିଦେଲେ କାହାରି ଦର୍ଶନ ନାହିଁ । ଏହା ପରେ ବି ସେହିସବୁ ସ୍ଥଳରୁ କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏସବୁ ଦେଖି ପର୍ଯ୍ୟଟକମାନେ କେବଳ ଆଶ୍ଚର୍ଯ୍ୟ ହୋଇନାହାନ୍ତି, ବରଂ କହୁଛନ୍ତି ଏହି ସ୍ଥାନ କ’ଣ ଓଡ଼ିଶାର? ଅନେକ ସ୍ଥାନର ପୂର୍ବସ୍ଥିତି ଯାହା ଥିଲା ଏବେକାର ଚିତ୍ର ଦେଖିଲା ପରେ କଳ୍ପନାର ଦୁନିଆରେ ଭାସିଲା ପରି ଲାଗୁଛି ।ଆକାଶମାର୍ଗରୁ ନିଆଯାଇଥିବା ଚିଲିକାର ଏକ ଫଟୋ ଅତି ସୁନ୍ଦର ହୋଇଛି । କାଳିଜାଈକୁ ପ୍ରତିଦିନ ଶହ ଶହ ଯାତ୍ରୀ ଡଙ୍ଗାରେ ଯାଇଥାନ୍ତି । ବର୍ତ୍ତମାନ ବନ୍ଦ ଯୋଗୁ ଡଙ୍ଗାଗୁଡ଼ିକ କୂଳରେ ରହିଛି । ଏହି ସମୟରେ ଡ୍ରୋନ୍ କ୍ୟାମେରାରେ ସୁଟ୍ ହୋଇଥିବା କାଳିଜାଈ ଦ୍ୱୀପଟି ସ୍ୱଚ୍ଛ ପାଣିରେ ଭାସୁଥିବା ଏକ ବିରାଟ ଜାହାଜ ପରି ଦିଶୁଛି । ସେହିପରି ରମ୍ଭାଠାରେ ଚିଲିକା-ଋଷିକୁଲ୍ୟା ନଦୀର ମିଳନ ସ୍ଥଳ ଚମତ୍କାର ଦେଖାଯାଉଛି । ବାରମ୍ବାର ପରିଦର୍ଶନରେ ଯାଇଥିବା ପର୍ଯ୍ୟଟକମାନେ ପୂର୍ବରୁ କେବେ ଏଭଳି ଦୃଶ୍ୟ ଦେଖିନାହାନ୍ତି ବୋଲି ଫଟୋ ଦେଖି ମତାମତ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟର୍ରେ ଏଭଳି ଅନେକ ଫଟୋ ରହିଛି, ଯେଉଁଥିରେ ପର୍ଯ୍ୟଟକଙ୍କ ବିନା ପର୍ଯ୍ୟଟନସ୍ଥଳୀ କିପରି ଦେଖାଯାଏ ତାହା ଦେଖିବାକୁ ମିଳିଛି । ଜିଲ୍ଲାରେ କାର୍ଯ୍ୟରତ ଜଣେ ଆଇଏଏସ୍ ଅଧିକାରୀ କହିଛନ୍ତି, ଜିଲ୍ଲା ପ୍ରଶାସନ ବିଭନ୍ନ ପର୍ଯ୍ୟଟନସ୍ଥଳୀକୁ ଡକ୍ୟୁମେଣ୍ଟ କରୁଛି । ଏଥିପାଇଁ କିଛି ପେଶାଦାର ଫଟୋ ଓ ଭିଡିଓଗ୍ରାଫର ଏସବୁ ଉତ୍ତୋଳନ କରିଛନ୍ତି । କଡ଼ା ପ୍ରତିବନ୍ଧକ ସେମାନଙ୍କ କ୍ୟାମେରାକୁ ରୋକି ପାରିନି ।










