ଦେଶରେ ୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୨୯୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ:-ସାରା ବିଶ୍ବରେ ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ ମଧ୍ୟ ଥମିବାର ନାଁ ନେଉନି ଭାଇରସ୍ ସଂକ୍ରମଣ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ଟପିଛି । ଦେଶରେ ୭୦,୭୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୬,୦୦୮ ଥିବାବେଳେ, ମୃତ୍ୟୁସଂଖ୍ୟା ୨,୨୯୩ ରହିଛି । ଦେଶରେ ଏପର୍ଯ୍ୟନ୍ତ ୨୨, ୪୫୫ ଜଣ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ୮୭ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨୩,୪୦୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୮୬୮ ଜଣଙ୍କ ଜୀବନ ଗଲାଣି । ସେହିପରି ଗୁଜରାଟରେ ଦ୍ବିତୀୟ ସର୍ବାଧିକ ୮,୫୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୫୧୩ ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଦେଶର କରୋନା ରୋଗୀଙ୍କ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇ ଚାଲିଛି । ଏବେ ଏହା ୩୧.୭ ପ୍ରତିଶତରେ ପହଞ୍ଚିଛି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଶରେ ଆରୋଗ୍ୟ ହାର କ୍ରମାଗତ ବଢି ଚାଲିଥିବା ବେଳେ, ମୃତ୍ୟୁହାର ବିସ୍ବରେ ସର୍ବନିମ୍ନ ସ୍ତରରେ ରହିଛି । ବିଶ୍ବରେ କରୋନା ଜନିତ ମୃତ୍ୟୁହାର ୭ ରୁ ୭.୫ ପ୍ରତିଶତ ଥିବା ବେଳେ, ଭାରତର ମୃତ୍ୟୁହାର ମାତ୍ର ୩.୨ ପ୍ରତିଶତ ।

Leave a Reply

Your email address will not be published. Required fields are marked *