ଭାରତ ବିରୋଧି କାର୍ଯ୍ୟକଳାପରୁ ହଟୁନି ନେପାଳ, ଏବେ ଭାରତୀୟ ଅଞ୍ଚଳରେ କରିବ ଜନଗଣନା !
କାଠମାଣ୍ଡୁ:-ଭାରତ ତରଫରୁ ସାହାଯ୍ୟର ହାତ ବଢାଯାଇଥିଲେ ମଧ୍ୟ ନେପାଳ ନିଜ କାର୍ଯ୍ୟକଳାପରୁ ଓହରୁ ନାହିଁ । ଉତ୍ତରାଖଣ୍ଡର କଲାପାଣୀ, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ମାନଚିତ୍ରରେ ସ୍ଥାନ ଦେଇଥିଲା ନେପାଳ ଏବେ ଏଠାରେ ଜନଗଣନା କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି ।
କେପି ଶର୍ମା ଓଲିଙ୍କ ନେତୃତ୍ୱାଧିନ ସରକାର ଆସନ୍ତା ବର୍ଷ ମେ ୨୮ରେ ୧୨ତମ ଜନଗଣନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସମୟରେ ଭାରତୀୟ ଅଞ୍ଚଳରେ ମଧ୍ୟ ଜନଗଣନା କରିବା ନେଇ ଓଲି ଲକ୍ଷ୍ୟ ରଖିଛନ୍ତି ।
ନେପାଳର ସ୍ଥାନୀୟ ଖବର କାଗଜ କାଠମାଣ୍ଡୁ ପୋଷ୍ଟ ଅନୁସାରେ, ଓଲି ସରକାର ଏଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ବିବାଦୀୟ ଅଞ୍ଚଳରେ ନେପାଳ ସମସ୍ତ ଘରକୁ ଗଣନା କରିବ । ତେବେ ଏହି ତିନୋଟି ଅଞ୍ଚଳ ହେଉଛି ଭାରତ ଓ ନେପାଳ ମଧ୍ୟରେ ଉପୁଜିଥିବା ବିବାଦର କାରଣ । ପ୍ରଥମେ ନେପାଳ ଏହି ଅଞ୍ଚଳକୁ ନିଜର କହି ମାନଚିତ୍ରରେ ସ୍ଥାନ ଦେଇଥିଲା । ଚୀନ୍ ପ୍ରଭାବରେ ଆସି ନେପାଳ ଏପରି କରୁଥିବା କୁହାଯାଉଛି ।
ଏହି ସବୁ ଅଞ୍ଚଳରେ ଜନଗଣନା ପାଇଁ ନେପାଳ ପ୍ଲାନିଂ କମିଶନକୁ ଦାୟିତ୍ୱ ଦିଆଯାଇଛି । ତେବେ ସେଠାକାର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକସ୍ ଏହି ପଦକ୍ଷେପ ପାଇଁ ଭାରତ ଅସନ୍ତୁଷ୍ଟ ହେବାର ସମ୍ଭାବନା ଥିବା କହିଛି । ଏହି ଡର ପାଇଁ ସରକାର କିଛି ସ୍ପଷ୍ଟ ଭାବେ କହୁନାହାଁନ୍ତି । ସୂଚନାଯୋଗ୍ୟ, ନିକଟରେ ଭାରତ ନେପାଳକୁ ଦୁଇଟି ଅତ୍ୟାଧୁନିକ ଟ୍ରେନ୍ ଦେଇଥିଲା ।