ଭାରତର ଯୁଦ୍ଧ ଜାହାଜରେ ମହିଳା ଲଢୁଆ ପାଇଲଟ୍

କୋଚି : ଭାରତୀୟ ନୌସେନା ଇତିହାସରେ ପ୍ରଥମକରି ଦୁଇଜଣ ମହିଳା ଅଫିସରଙ୍କୁ ଯୁଦ୍ଧଜାହାଜରେ ମୁତୟନ କରାଯାଇଛି । ସେମାନେ ହେଲେ ସବ୍‌ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଓ ସବ୍‌ ଲେଫ୍ଟନାଣ୍ଟ ରୀତି ସିଂହ । ସେମାନଙ୍କୁ ଯୁଦ୍ଧଜାହାଜରେ ହେଲିକପ୍ଟର ଷ୍ଟ୍ରିମ୍‌ରେ ଅବଜରଭର୍‌ (ଏୟାରବୋର୍ଣ୍ଣ ଟେକ୍‌ଟିସିଆନ) ଦାୟିତ୍ୱ ମିଳିଛି । ଏହାଫଳରେ ସେମାନେ ଭାରତର ପ୍ରଥମ ମହିଳା ଏୟାରବୋର୍ଣ୍ଣ ଟେକ୍‌ଟିସିଆନ ହୋଇଛନ୍ତି । ଯୁଦ୍ଧଜାହାଜରେ ଥିବା ଲଢ଼ୁଆ ହେଲିକପ୍ଟରରେ ସେମାନେ ମୁତୟନ ହେବେ । ବିଶେଷକରି ନୌସେନାର ନୂଆ ଏମ୍‌ଏଚ୍‌-୬୦ ଆର୍‌ ହେଲିକପ୍ଟର ସେମାନେ ଉଡାଇବେ ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏହି ହେଲିକପ୍ଟର ଶତ୍ରୁପକ୍ଷର ଯୁଦ୍ଧଜାହାଜ ଓ ବୁଡାଜାହାଜକୁ ଠାବ କରିବାରେ ସକ୍ଷମ ହୋଇପାରିବ । କୋଚିଠାରେ ଆଜି ଆଇଏନ୍‌ଏସ୍‌ ଗରୁଡରେ ଆୟୋଜିତ ସମାରୋହରେ ଅବଜରଭର ଭାବେ ଡିଗ୍ରୀ ହାସଲ କରିବା ପରେ ୧୭ ଜଣଙ୍କୁ ୱିଙ୍ଗ୍‌ରେ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ତ୍ୟାଗୀ ଓ ସିଂହଙ୍କ ସମେତ ୪ ଜଣ ମହିଳା ଓ ତଟରକ୍ଷୀ ବାହିନୀର ୩ ଜଣ ଅଫିସର ଅଛନ୍ତି ।

ଏହି ୧୭ ଅଫିସରଙ୍କ ମଧ୍ୟରେ ୧୩ ଜଣ ରେଗୁଲାର ବ୍ୟାଚ୍‌ର ହୋଇଥିଲା ବେଳେ ୪ ଜଣ ମହିଳା ଅଫିସର ହେଉଛନ୍ତି ସର୍ଟସର୍ଭିସ କମିଶନ ବ୍ୟାଚ୍‌ । ପୂର୍ବରୁ ମହିଳା ଅଫିସରଙ୍କ ପ୍ରବେଶ କେବଳ ୱିଙ୍ଗ ବିମାନ ପର୍ଯ୍ୟନ୍ତ ସୀମିତ ଥିଲା । ସମାରୋହରେ ଅଧ୍ୟକ୍ଷତା କରି ରିୟର ଆଡମିରାଲ ଆଣ୍ଟେ ଭାବନା କଣ୍ଠ, ଫ୍ଲାଇଟ ଲେଫ୍ଟନାଣ୍ଟ ଅବନୀ ଚତୁର୍ବେଦୀ ଓ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ମୋହନା ସିଂହ ଦେଶର ପ୍ରଥମ ଲଢ଼ୁଆ ବିମାନ ଚାଳିକା ଭାବେ ଗୌରବ ହାସଲ କରିଥିଲେ । ବର୍ତ୍ତମାନ ବାୟୁସେନାରେ ୧,୮୭୫ ମହିଳା ଅଫିସର କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲଢ଼ୁଆ ପାଇଲଟ ।

Leave a Reply

Your email address will not be published. Required fields are marked *