ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି: ଏଣିକି ଆଉ ହେବନି ହୋମ୍‌ଗାର୍ଡଙ୍କ ନିଯୁକ୍ତି

ଭୁବନେଶ୍ୱର:-ଆଉ ହେବନି ନୂଆ ହୋମ୍‌ଗାର୍ଡ (ଗୃହରକ୍ଷୀ) ନିଯୁକ୍ତି । ଖାଲି ଥିବା ସମସ୍ତ ହୋମ୍‌ଗାର୍ଡ ପଦବୀରେ କୌଣସି ନିଯୁକ୍ତି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଖୋଦ୍‌ ଗୃହ ବିଭାଗ ନିର୍ଦ୍ଦେଶ ଜାରି କରିଛି ।

ରାଜ୍ୟରେ ମୋଟ ୧୭ ହଜାର ୬୭୫ ହୋମଗାର୍ଡ ପଦବୀ ରହିଛି । ଏଥିରୁ ୧୬ ହଜାର ପଦବୀରେ ହୋମଗାର୍ଡ ନିଯୁକ୍ତ ଅଛନ୍ତି। ହୋମଗାର୍ଡଙ୍କ ଦୈନିକ ଭତ୍ତା ୩ଶହ ଟଙ୍କାରୁ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଥିଲେ । ହେଲେ ଏହା ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇଥିଲା। ଅର୍ଥ ବିଭାଗର ପରାମର୍ଶ କ୍ରମେ ଖାଲିଥିବା ହୋମଗାର୍ଡ ପଦବୀରେ କୌଣସି ନିଯୁକ୍ତି ନ କରିବାକୁ ଗୃହ ବିଭାଗ ସ୍ଥିର କରିଛି ।

ଅପରପକ୍ଷରେ ଖାଲି ପଦବୀ ବଦଳରେ ୩ଜଣ ହୋମଗାର୍ଡଙ୍କ ସ୍ଥାନରେ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ୧୫୭୫ ହୋମଗାର୍ଡ ପଦବୀ ଖାଲିଥିବାରୁ ଏହା ବିଶେଷ ପ୍ରଭାବିତ କରିବନି ବୋଲି ସରକାର ଯୁକ୍ତି ଦର୍ଶାଇଛନ୍ତି । ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଛି ଗୃହରକ୍ଷୀ ସଂଘ ।

Leave a Reply

Your email address will not be published. Required fields are marked *