ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ

ଗୁଣପୁର:–ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକା(୬୭)ଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ବହୁବର୍ଷ ଧରି ସେ ମଧୁମେହ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବା ପରେ ଶନିବାର ତାଙ୍କୁ ଆନ୍ଧ୍ରପ୍ରଦେଶ ରାଗୁଲୁର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅତ୍ୟଧିକ ମଧୁମେହ ଯୋଗୁ ହୃଦ୍‌ଘାତରେ ତାଙ୍କ ବିୟୋଗ ହୋଇଥିବା କୁହାଯାଇଛି ।

ଶ୍ରୀ ମୁଟ୍ଟିକା ସ୍ୱତନ୍ତ୍ର ପାର୍ଟିରୁ ରାଜନୀତି ଆରମ୍ଭ କରି ପ୍ରଥମ କରି ରାମନାଗୁଡା ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ଜଣେ ଦକ୍ଷ ସଙ୍ଗଠକ ଭାବେ ବେଶ୍‌ ଜଣାଶୁଣା ଥିଲେ । ବିଜେଡିରୁ ଦ୍ୱିତୀୟ ଥର ପାଇଁ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ହେବା ସହ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଗୁଣପୁର ନିର୍ବାଚନମଣ୍ଡଳୀର ବିଧାୟକ ରହିଥିଲେ । ସେହି ସମୟରେ ସେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ମଧ୍ୟ ରହିଥିଲେ । ପରବର୍ତ୍ତି ନିର୍ବାଚନରେ ସେ ବିଜେଡି ଟିକଟରୁ ବଞ୍ଚିତ ହୋଇଥିଲେ । ଦଳରେ ଅଣଦେଖା ଯୋଗୁ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକଟ ନପାଇ ସ୍ୱାଧୀନ ଭାବେ ଲଢ଼ି ପରାସ୍ତ ହୋଇଥିଲେ । ସର୍ବଦା ସାଲିସ ବିହୀନ ରାଜନୀତି କରି ଲୋକଙ୍କ ହୃଦୟ ଜିଣିପାରିଥିଲେ।

ନିଜ ଜମିରେ ଧାନ, କପା, କାନ୍ଦୁଲ ସହ ମାଛ ଚାଷ କରି ଦିନକୁ ଆଠଘଣ୍ଟା ପରିଶ୍ରମ କରୁଥିଲେ ଶ୍ରୀ ମୁଟ୍ଟିକା । ଲମ୍ବା ସମୟ ଧରି ସକ୍ରିୟ ରାଜନୀତି କରିବା ସହ ବିଭିନ୍ନ ପଦ ପଦବିରେ ରହି ବି ସାଧାରଣ ଜୀବନଯାପନ କରୁଥିଲେ । ନିଜ ପାଇଁ ଭଲ ଘର ଖଣ୍ଡିଏ କରି ପାରିନଥିଲେ । ଫଳରେ ରାମନାଗୁଡା ବ୍ଲକର ନିଜ ପୈତୃକ ଗାଁ ସୁବାଇରେ ଥିବା ବାପଅଜା ଅମଳର ଚାଳ ଛପର ଘରେ ରହୁଥିଲେ । ସେ ଥିଲେ ସ୍ୱର୍ଗତ ଜଷ୍ଟିସ ମୁଟ୍ଟିକା ପାପନ୍ନାଙ୍କ ସାନଭାଇ । ସୁବାଇରେ ତାଙ୍କର ଶେଷକୃତ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *