କରୋନା ଯୁଦ୍ଧରେ ଜୀବନ ହାରିଲେ ଯୁବ ପୋଲିସ ଅଫିସର
ଝାରସୁଗୁଡା:–ଶେଷରେ କରୋନା ଯୁଦ୍ଧରେ ହାରିଗଲେ ଯୁବ ପୋଲିସ ଅଫିସର । ପୋଲିସ ଚାକିରୀରେ ଯୋଗଦେଇ ସେବା କରିବାକୁ ଶପଥ ନେଇଥିବା ଏହି ଯୁବ ଅଧିକାରୀ ଙ୍କ ଅକାଳ ବିୟୋଗ ସମ୍ପୂର୍ଣ୍ଣ ପୋଲିସ ବିଭାଗର ମନୋବଳକୁ ଦୋହଲାଇ ଦେଇଛି । କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାୟ ୧୫ ଦିନ ଜୀବନ ସହ ସଂଗ୍ରାମ କରି ଶେଷରେ ହାରିଗଲେ ।କୋଭିଡ ନିୟମ ଅନୁସାରର ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜକିଶୋର ଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି। ତାଙ୍କୁ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଜିଲାପାଳ ସରୋଜ ସାମଲ ଓ ଏସପି ରାହୁଲ ପିଆରଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ। ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନାର ଏସଆଇ ରାଜକିଶୋର ସାମଦଙ୍କୁ ଜିଲ୍ଲା ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସମ୍ମାନରେ ସମ୍ମାନିତ କରିବା ସହ କୋଭିଡ-୧୯ର ସମସ୍ତ ନିୟମ ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
ସୂଚନାନୁଯାୟୀ, ମହାମାରୀ କରୋନାରୁ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ କର୍ତ୍ତବ୍ୟ କରୁଥିବାବେଳେ ଗତ ୧୭ ତାରିଖରେ ଶ୍ରୀ ସାମଦ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଝାରସୁଗୁଡ଼ାସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭେଣ୍ଟିଲେଟରରେ ରଖିବା ସହ ପ୍ଲାଜମା ଥେରେପି ମଧ୍ୟ ପ୍ରଦାନ କରାଯାଇଥିଲା । ଏହାସତ୍ୱେ ସେ କୋରୋନା ଯୁଦ୍ଧରେ ହାରିଯାଇ ମଙ୍ଗଳବାର ଆଖି ବୁଜିଛନ୍ତି । ତେବେ ଶ୍ରୀ ସାମଦ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।