ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚିଲା ପୋଲିସ
ଭୁବନେଶ୍ବର :–ସାଂସଦ ଅନୁଭବ ମହାନ୍ତିଙ୍କ କଟକ ଚୌଧୁରୀ ବଜାର ନନ୍ଦୀସାହିସ୍ଥିତ ବାସଭବନରେ ପହଞ୍ଚିଛି ପୁଲିସ । ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି । ଜଣେ ପୁରୁଷ ଓ ଜଣେ ମହିଳା ପୁଲିସ କର୍ମଚାରୀ ଅନୁଭବ ମହାନ୍ତିଙ୍କ ଘର ପହଞ୍ଚି ପଚରାଉଚରା କରୁଥିବା ସୂଚନା ରହିଛି ।ଅଭିଯୋଗ ଅନୁସାରେ, ବର୍ଷା ପ୍ରିୟଦର୍ଶିନୀ ଖାଉଥିବା ବେଳେ ଅନୁଭବଙ୍କ ଦୁଇ ଜଣ ସହଯୋଗୀ ତାଙ୍କ କୋଠାରୀ ଭିତରକୁ ପଶି ଜବରଦସ୍ତ ଭିଡିଓ କରିବା ଫଳରେ ବର୍ଷା ଏହି ପଦକ୍ଷେପ ନେଇଥିବା ତାଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି । ବର୍ଷାଙ୍କ ଓକିଲ ଆର.କେ.ରଥଙ୍କ ସୂଚନା ଅନୁସାରେ ଅନୁଭବଙ୍କ ଘରେ ବର୍ଷାଙ୍କ ପ୍ରତି ବିପଦ ରହିଛି, ସେ ସୁରକ୍ଷିତ ନୁହନ୍ତି । ସୁଦୀପ ଓ ଖଗେନ୍ଦ୍ର ନାମକ ଦୁଇ ଜଣ ଯୁବକ ବର୍ଷାଙ୍କ କୋଠରୀ ଭିତରକୁ ଧସେଇ ପଶିଥିଲେ । ତେଣୁ ସେ ପୁଲିସର ସାହାଯ୍ୟ ଲୋଡ଼ିଛନ୍ତି । କେବଳ ୧୦୦ ନମ୍ବରକୁ ନୁହେଁ, ବର୍ଷା ନିଜ ସୁରକ୍ଷା ନେଇ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ବର୍ଷାଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁ ୨୪ ଘଣ୍ଟା ପୁଲିସ ସୁରକ୍ଷା ଦିଆଯାଉ ବୋଲି ତାଙ୍କ ଓକିଲ ଦାବି କରିଛନ୍ତି ।ଉପରୋକ୍ତ ଘଟଣାର କିଛି ସମୟ ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାଦ ନେଇ ମୁହଁ ଖୋଲିଥିଲେ । ସେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘ଜଣେ ମହିଳା ଭାବେ ମୁଁ ବର୍ଷାଙ୍କୁ ସମ୍ମାନ କରେ । ଆମ ସମସ୍ୟା ଘରେ ସମାଧାନ ହୋଇପାରିଲା ନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ । ମୋର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି । ସମସ୍ୟାର ସମାଧାନ ହୋଇଯିବ ବୋଲି ମୋର ଆଶା । ଏହା ଆମର ବ୍ୟକ୍ତିଗତ ସମସ୍ୟା, ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହିଁ ।’