ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି, ପିଜି ଶେଷ ସେମିଷ୍ଟର୍ ପରୀକ୍ଷା
ଭୁବନେଶ୍ୱର:-ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକର ଶେଷ ବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା ଏବଂ ପିଜି ଶେଷ ବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ହେବ । ଅକ୍ଟୋବର ୩୦ ତାରିଖ ମଧ୍ୟରେ ଫଳ ପ୍ରକାଶ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।
ସୋମବାର ଭିଡିଓ କନଫରେନ୍ସରେ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳପତି ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡ. ସାହୁ କହିଛନ୍ତି । ୟୁଜିସି ମାର୍ଗଦର୍ଶିକା ଅନୁସାରେ ପରୀକ୍ଷା ଅଫଲାଇନ୍, ଅନଲାଇନ୍, ବ୍ଲେଣ୍ଡେଡ୍ (ଅନଲାଇନ୍ ସହ ଅଫଲାଇନ୍) ମଲ୍ଟିପୁଲ୍ ଚଏସ୍, ଓପନ୍ ବୁକ୍ ଏବଂ ଓଏମଆର୍ ଆଦି ଯେ କୌଣସି ଅନୁମୋଦିତ ପଦ୍ଧତିରେ ପରୀକ୍ଷା କରାଯାଇପାରିବ । ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ପରୀକ୍ଷା ପଦ୍ଧତି ବିଷୟରେ ନିଷ୍ପତ୍ତି ନେବେ ବୋଲି ଡ. ସାହୁ କହିଛନ୍ତି ।
ୟୁଜିସି ମାର୍ଗଦର୍ଶିକା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ଶେଷ ବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ, ସେମାନଙ୍କ ନିମନ୍ତେ କୋଭିଡ୍-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ/ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ପେନ୍ ଏବଂ ପେପର୍ ମୋଡ୍ରେ ଡିସେମ୍ବରରେ କରାଯିବ । ଶେଷ ବର୍ଷ ଶେଷ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କର ବ୍ୟାକ୍ ପେପର୍ ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ବୋଲି ମନ୍ତ୍ରୀ ଡ. ସାହୁ ସୂଚନା ଦେଇଛନ୍ତି ।
ଭିଡିଓ କନଫରେନ୍ସରେ ହୋଇଥିବା ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଡ. ସାହୁଙ୍କ ସମେତ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ବିଭାଗୀୟ ବରିଷ୍ଠ ଅଧିକାରୀ, ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ଅଧ୍ୟକ୍ଷମାନେ ମତ ରଖିଥିଲେ । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ କରୋନା ମହାମାରୀ ପରିସ୍ଥିତି ଯୋଗୁଁ ଶେଷ ସେମିଷ୍ଟର୍ ପରୀକ୍ଷା ବାତିଲ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ଚିଠି ଲେଖିଥିଲେ । ସେହିପରି ବିଭାଗୀୟ ସଚିବ ଶ୍ରୀ ମିଶ୍ର କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।