ଦିବ୍ରୁଗଡ଼-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରୁ ୮୩.୬ କେଜି ସୁନାଜବତ, ୮ଗିରଫ

ନୂଆଦିଲ୍ଲୀ:-ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ନୂଆଦିଲ୍ଲୀ ରେଳ ଷ୍ଟେସନରୁ ୫୦୪ ଖଣ୍ଡ ସୁନା ଜବତ କରିଛନ୍ତି। ଜବତ ସୁନାର ଓଜନ ୮୩କେଜି ୬୦୦ ଗ୍ରାମ ଥିବା ବେଳେ ଅନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୪୩ କୋଟି ଟଙ୍କା ବୋଲି କୁହାଯାଇଛି। ମାମଲାରେ ୮ ଜଣ ଗିରଫ ହୋଇଛନ୍ତି। ଏମାନେ ମ୍ୟାଁମାରରୁ ଚୋରାରେ ସୁନା ଦିଲ୍ଲୀ ପହଞ୍ଚାଉଥିଲେ।

ମହାରାଷ୍ଟ୍ର ସାଙ୍ଗଲୀ ଜିଲ୍ଲାର ଜନୈକ ବ୍ୟକ୍ତିଙ୍କ ସମେତ ୮ ଜଣ  ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଯୋଗେ ସୁନା ଖଣ୍ଡ ସହ ଶୁକ୍ରବାର ନୂଆଦିଲ୍ଲୀ ଷ୍ଟେସନରେ ଓହ୍ଲାଇଥିଲେ।   ଏମାନେ ସୁନାଖଣ୍ଡଗୁଡିକୁ ବେସ୍ ସତର୍କତାର ସହ ପୋଷାକରେ ଖଞ୍ଜି ରଖିଥିବା ବେଳେ ନକଲି ଆଧାରକାଡ ଜରିଆରେ ଟ୍ରେନରେ ଯାତ୍ରା କରୁଥିଲେ। ଯାଞ୍ଚ ବେଳେ ସେମାନଙ୍କ ପୋଷାକରୁ ସୁନାଖଣ୍ଡ ବାହାରି ଥିଲା।

ଜବତ ସୁନାଖଣ୍ଡ ଗୁଡିକରେ ବିଦେଶୀ ମାର୍କିଂ ଥିବାର ଅଧିକାରୀ ସୂଚିତ କରିଛନ୍ତି। ଏ ସବୁ ସୁନା ଚୋରାରେ ମ୍ୟାଁମାର ସୀମା ପାର କରି ମଣିପୁରର ମୋରେହ ପହଞ୍ଚାଯାଉଥିବା ଓ ସେଠାରୁ ଗୌହାଟୀ ରାସ୍ତାରେ ମୁମ୍ବାଇ, ଦିଲ୍ଲୀ ସମେତ ଦେଶର ବିଭିନ୍ନ ବଡବଡ ସହରକୁ ପହଞ୍ଚା ଯାଉଥିବା ଜଣାପଡିଛି।

ଦେଶରେ ସୁନା ତସ୍କରୀ ଚଳାଇଥିବା ସ୍ମଗଲିଂ ସିଣ୍ଡିକେଟ୍ ମାନେ ଗରିବ ଓ ଅଭାବୀ ଲୋକଙ୍କୁ ଦେଶର ବିଭିନ୍ନ ପ୍ରାନ୍ତକୁ ସୁନା ପହଞ୍ଚାଇବା କାମରେ ନିୟୋଜିତ କରୁଛନ୍ତି। ଏଥିଲାଗି ଏମାନଙ୍କୁ ରେଲ, ରୋଡ ଓ ବିମାନ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଉଛି। ଜବତ ହୋଇଥିବା ସୁନା ଖଣ୍ଡ ସବୁ ୯୯.୯ ପ୍ରତିଶତ ଶୁଦ୍ଧ ବୋଲି ଯାଞ୍ଚ ବେଳେ ଜଣାପଡିଛି।

Leave a Reply

Your email address will not be published. Required fields are marked *