ହାଇକୋର୍ଟଙ୍କ ରାୟ : ସ୍ୱାମୀଙ୍କ ଟଙ୍କାରେ କେବଳ ପ୍ରଥମ ସ୍ତ୍ରୀର ଅଧିକାର ରହିଛି

ମୁମ୍ବାଇ:- ଯଦି ଜଣେ ବ୍ୟକ୍ତିଙ୍କର ଦୁଇଟି ପତ୍ନୀ ଥିବେ ଏବଂ ସେମାନେ ସ୍ୱାମୀଙ୍କ ଟଙ୍କା ଉପରେ ନିଜର ହକ୍‌ ଜାହିର କରୁଥିବେ ତେବେ ସେଭଳି କ୍ଷେତ୍ରରେ ସ୍ୱାମୀଙ୍କ ଟଙ୍କା ଉପରେ କେବଳ ପ୍ରଥମ ସ୍ତ୍ରୀର ଅଧିକାର ରହବ । ଦ୍ୱିତୀୟ ପତ୍ନୀଙ୍କର କୌଣସି ଅଧିକାର ରହିବ ନାହିଁ । କିନ୍ତୁ ଦ୍ୱିତୀୟ ପତ୍ନୀଙ୍କର ପିଲାମାନଙ୍କ ଅଧିକାର ସେହି ଟଙ୍କା ଉପରେ ରହିବ ବୋଲି ଆଜି ବମ୍ବେ ହାଇକୋର୍ଟ କହିଛନ୍ତି ।

ବିଚାରପତି ଏସ୍‌.ଜେ କଠାୱାଲା ଓ ବିଚାରପତି ମାଧବ ଜାମଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ଅବସରରେ ମୌଖିକ ଭାବେ ଏହି ମତାମତ ଦେଇଛନ୍ତି । ପୂର୍ବରୁ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚର ଏକ ପୂର୍ଣ୍ଣକାଳୀନ ଖଣ୍ଡପୀଠ ଏଭଳି ରାୟ ଦେଇଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । ସୂଚନା ଅନୁସାରେ ମହାରାଷ୍ଟ୍ର ରେଲୱେ ପୁଲିସରେ କାର୍ଯ୍ୟରତ ସୁରେଶ ହଟଙ୍କର ନାମକ ଜଣେ ଏଏସ୍‌ଆଇଙ୍କର ଗତ ମେ ୩୦ ତାରିଖରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା କ୍ଷତିପୂରଣ ବାବଦକୁ ତାଙ୍କ ପରିବାରକୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ଥିଲା । ତେବେ ମୃତ ଏଏସ୍‌ଆଇଙ୍କ ଦୁଇଜଣ ପତ୍ନୀ ଏହି କ୍ଷତିପୂରଣ ଟଙ୍କା ପାଇବା ଲାଗି ଦାବି କରିଥିଲେ । ଏପରିକି ଏଏସ୍‌ଆଇଙ୍କ ଦ୍ୱିତୀୟ ପତ୍ନୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହିଭଳି ଦ୍ୱିତୀୟ ପତ୍ନୀଙ୍କ ଝିଅ ଶ୍ରଦ୍ଧା ମଧ୍ୟ ତାଙ୍କ ପିତାଙ୍କ କ୍ଷତିପୂରଣ ଟଙ୍କାରୁ ତାଙ୍କୁ ସମାନ ଭାଗ ଦେବାକୁ ବମ୍ବେ ହାଇକୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିଲେ ।

ସେଥିରେ ସେ ଦର୍ଶାଇଥିଲେ ଯେ ପିତା ଜୀବିତ ଥିଲା ବେଳେ ସେମାନଙ୍କ ଚଳିବା ଲାଗି ଟଙ୍କା ଦେଉଥିଲେ । କିନ୍ତୁ ପିତାଙ୍କ ମୃତ୍ୟୁ ପରେ ସେମାନେ ଅସହାୟ ହୋଇଯାଇଛନ୍ତି । ତେବେ ଆଜିର ଭିଡିଓ କନ୍‌ଫରେନ୍ସିଂ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ଜ୍ୟୋତି ଚୌହାନ କହିଥିଲେ କି ସରକାର କୋର୍ଟରେ ଏହି ଟଙ୍କା ଜମା କରିଦେବେ । ଯାହା ସପକ୍ଷରେ ରାୟ ଯିବ ତାଙ୍କୁ ହିଁ ଏହି ଟଙ୍କା ପ୍ରଦାନ କରାଯିବ । କୋର୍ଟ କହିଥିଲେ ଯେ ଆଇନ ଅନୁସାରେ ଦ୍ୱିତୀୟ ପତ୍ନୀ କ୍ଷତିପୂରଣ ଟଙ୍କା ପାଇବା ଲାଗି ହକ୍‌ଦାର ନୁହନ୍ତି । କିନ୍ତୁ ଦ୍ୱିତୀୟ ପତ୍ନୀଙ୍କ ଝିଅ ଏବଂ ପ୍ରଥମ ପତ୍ନୀ ଓ ତାଙ୍କ ଝିଅ କ୍ଷତିପୂରଣ ପାଇପାରିବେ । ଶୁଣାଣି ସମୟରେ ମୃତ ଏଏସ୍‌ଆଇଙ୍କ ପ୍ରଥମ ପତ୍ନୀ ସୁଭଦା ଓ ତାଙ୍କ ଝିଅ ସୁରଭି ଦର୍ଶାଇଥିଲେ କି ଦ୍ୱିତୀୟ ବିବାହ କଥା ସେମାନେ ଆଦୌ ଜାଣିନାହାନ୍ତି । ମାତ୍ର ଶ୍ରଦ୍ଧାଙ୍କ ଓକିଲ ସେମାନଙ୍କ ଏହି ଯୁକ୍ତିକୁ ଖଣ୍ଡନ କରିଥିଲେ । କହିଥିଲେ ପ୍ରଥମ ପତ୍ନୀ ଓ ତାଙ୍କ ଝିଅ ଦ୍ୱିତୀୟ ବିବାହ କଥା ଜାଣିଥିଲେ ଏବଂ ଫେସବୁକ୍‌ରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ମଧ୍ୟ ଥିଲା । ମୃତ ଏଏସ୍‌ଆଇ ତାଙ୍କ ଦ୍ୱିତୀୟ ପତ୍ନୀ ଓ ଝିଅଙ୍କୁ ଧରାବିରେ ମିଳିଥିବା ରେଲୱେ ପୁଲିସ କ୍ୱାର୍ଟର୍ସରେ ରଖିଥିଲେ । ତେବେ ଦ୍ୱିତୀୟ ବିବାହ ବିଷୟରେ ସେମାନେ ପୂର୍ବରୁ ଜାଣିଥିଲେ କି ନାହିଁ ତାହା ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ପ୍ରଥମ ପତ୍ନୀ ଓ ଝିଅଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *