ସୁଶାନ୍ତ ତଦନ୍ତରେ ଡ୍ରଗ୍ସ ମୋଡ଼: ନିଶା ବେପାରୀଙ୍କ ସମ୍ପର୍କରେ ଥିଲେ ରିୟା
ମୁମ୍ବାଇ:-ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା କ୍ରମେ ଅଧିକ ଜଟିଳ ହେବାରେ ଲାଗିଛି । ଏବେ ଏହି ମାମଲାରେ ଡ୍ରଗ୍ସ ଆଙ୍ଗେଲ୍ ଯୋଡ଼ି ହୋଇଯାଇଛି । ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଚୋରା ନିଶା ବେପାରୀଙ୍କ ସହ ଥିଲା ଏବଂ ସେ ନିଜେ ନିଶା ସେବନ କରୁଥିଲେ ବୋଲି ଜଣାପଡ଼ିଛି । ଏହାକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି । ସେପଟେ ସିବିଆଇ ମଙ୍ଗଳବାର ପୁଣି ସୁଶାନ୍ତଙ୍କ ଫ୍ଲାଟ୍ମେଟ୍ ସିଦ୍ଧାର୍ଥ ପିଠାନି, ରୋଷେୟା ନିରଜ ସିଂହ ଏବଂ ହାଉସ୍ କିପର ଦୀପେଶ ସାୱନ୍ତଙ୍କୁ ଜେରା କରିଛି ।ସୂଚନା ମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ରିୟାଙ୍କ ହ୍ୱାଟ୍ସଆପ୍ ଚାଟ୍ଗୁଡ଼ିକୁ ସିବିଆଇ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)କୁ ପ୍ରଦାନ କରିଛି । ଏହି ଚାଟ୍ଗୁଡ଼ିକରୁ ଜାଣିବାକୁ ମିଳିଛି ଯେ ଅଭିନେତ୍ରୀ ରିୟା ନିଶାଦ୍ରବ୍ୟ ସେବନ କରୁଥିଲେ ଏବଂ ଚୋରା ନିଶା ବେପାରୀଙ୍କ ସହ ତାଙ୍କର ସମ୍ପର୍କ ଥିଲା । ହ୍ୱାଟ୍ସଆପ୍ରେ ସେମାନଙ୍କ ସହ ରିୟା ବାରମ୍ବାର ଚାଟ୍ କରିଥିବା ଜଣାପଡ଼ିଛି । ପୂର୍ବରୁ ମାମଲାରେ ପୁଲିସ, ଇଡି ଏବଂ ସିବିଆଇ ତଦନ୍ତ କରୁଥିଲେ । ଏବେ ଏନ୍ସିବିକୁ ଏଥିରେ ସାମିଲ ହେବାକୁ ପଡ଼ିଛି । ସିବିଆଇ ଏବଂ ଏନ୍ସିବି ଏବେ ମାମଲାରେ ଡ୍ରଗ୍ସ ଆଙ୍ଗେଲ୍କୁ ନେଇ ତନାଘନା କରିବେ । ରିୟାଙ୍କ ଦ୍ୱାରା ହୋଇଥିବା ସମ୍ଭାବ୍ୟ ଠକେଇକୁ ନେଇ ଇଡି ଏହାର ତଦନ୍ତ ଜାରି ରଖିଛି । ସେଥିପାଇଁ ନିକଟରେ ଏହି ଏଜେନ୍ସି ରିୟାଙ୍କ ହ୍ୱାଟ୍ସଆପ୍ ଚାଟ୍ ଓ ଅନ୍ୟ ଗ୍ୟାଜେଟ୍ ସଂକ୍ରାନ୍ତ ତଥ୍ୟଗୁଡ଼ିକୁ ହାସଲ କରିଥିଲା ।ସେପଟେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଥିବା ସିବିଆଇ ମଙ୍ଗଳବାର ପୁଣି ସିଦ୍ଧାର୍ଥ ପିଠାନି, ନିରଜ ସିଂହ ଏବଂ ଦୀପେଶ ସାୱନ୍ତଙ୍କୁ ଜେରା କରିଛି । ସମସ୍ତଙ୍କୁ ସାନ୍ତାକ୍ରୁଜ୍ସ୍ଥିତ ଡିଆର୍ଡିଓ ଗେଷ୍ଟ ହାଉସ୍କୁ ଡକାଯାଇଥିଲା । ସେମାନେ ପହଞ୍ଚିବା ପରେ ସିବିଆଇ ଅଧିକାରୀମାନେ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲେ । ସୁଶାନ୍ତଙ୍କ ଆର୍ଥିକ କାରବାର ବାବଦରେ ଜାଣିବା ପାଇଁ ସିବିଆଇ ତାଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଏବଂ ଆକାଉଣ୍ଟାଣ୍ଟଙ୍କୁ ଡାକିଥିବା ଜଣାପଡ଼ିଛି । ସିବିଆଇ ଇତିମଧ୍ୟରେ ଦୁଇଜଣ ମୁମ୍ବାଇ ପୁଲିସ ଅଧିକାରୀଙ୍କୁ ସମନ୍ ଜାରି କରିଛି । ୩୪ ବର୍ଷୀୟ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସେମାନଙ୍କୁ ଜେରା କରାଯିବ । କିନ୍ତୁ ସମନ୍ ପାଇଥିବା ପୁଲିସ ଅଧିକାରୀଦ୍ୱୟଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଥିବା ବେଳେ ଅନ୍ୟ ଜଣକ କ୍ୱାରେଣ୍ଟାଇନରେ ରହିଛନ୍ତି । ସେଠାରୁ ବାହାରିବା କ୍ଷଣି ସେମାନେ ସିଧା ସିବିଆଇ ନିକଟରେ ହାଜର ହେବେ ।










