ନେତୃତ୍ୱ ବିବାଦ ଭିତରେ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି !
ନୂଆଦିଲ୍ଲୀ: କଂଗ୍ରେସ କନ୍ଦଳ ମଧ୍ୟରେ ଦଳର ଅନରଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇପାରନ୍ତି ସୋନିଆ ଗାନ୍ଧି । ଦୀର୍ଘ ଦିନ ଧରି ଦଳରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ ନେଇ ଦାବି ଉଠି ଆସୁଛି । ଏଭଳି ସ୍ଥିତିରେ ଦଳରେ ଆମୁଳଚୂଳ ପରିବର୍ତ୍ତନ ନେଇ ଦଳର ୨୩ ଜଣ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି ।ଦୀର୍ଘ ଦିନ ଧରି କଂଗ୍ରେସ ସଂଗଠନ ସ୍ତରରେ ପରିବର୍ତ୍ତନ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଦଳର ଶୀର୍ଷ ନେତୃତ୍ୱଙ୍କ ପାଇଁ କଂଗ୍ରେସ ୨ ଭାଗରେ ବାଣ୍ଟି ହେଉଥିବା ଦେଖାଯାଉଛି । ଗୋଟିଏ ପକ୍ଷ ଦଳରେ ନେତୃତ୍ୱ ସହିତ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ ଦାବି କରୁଛନ୍ତି । ଅନ୍ୟପଟେ ଆଉ ଏକ ପକ୍ଷ ଗାନ୍ଧି ପରିବାରକୁ ବାଦ୍ ଦେଇ ଅନ୍ୟ କେହି ଦଳର କମାଣ ସମ୍ଭାଳିବା ପକ୍ଷରେ ନାହାଁନ୍ତି ।କଂଗ୍ରେସ ନେତା ସଞ୍ଜୟ ନିରୁପମଙ୍କ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ ଅଧ୍ୟକ୍ଷ କରିବାକୁ ବିରୋଧ କରିଛନ୍ତ । ଅମରିନ୍ଦର କହିଛନ୍ତି- ବର୍ତ୍ତମାନ ସମୟ ନେତୃତ୍ୱ ପରିବର୍ତ୍ତନର ନୁହେଁ । ଏବେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଥିବା ଏନଡିଏ ବିପକ୍ଷରେ ମଜଭୁତ୍ ବିରୋଧୀଙ୍କ ଆବଶ୍ୟକତା ରହିଛି ।ମିଳିଥିବା ସୂଚନା ଅନୁସାରେ ସୋନିଆ ଗାନ୍ଧି ଦଳର ସହଯୋଗୀଙ୍କୁ କହିଛନ୍ତି- ସେ ବର୍ଷେ ହେଲା ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଲେଣି । ସେ ଏବେ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ଚାହୁଁଛନ୍ତି । ଅନ୍ୟପଟେ ଆସନ୍ତାକାଲି ସୋମବାର କଂଗ୍ରେସ ୱାର୍କିଂ କମିଟି ବୈଠକ ବସିବ । ବୈଠକରେ ସଂଗଠନ ପ୍ରସଙ୍ଗରେ ଆଲୋଚନା କରାଯିବା ନେଇ ଆଶା କରାଯାଉଛି ।