ଚେତନ ଚୌହ୍ୱାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ
ଲକ୍ଷ୍ନୌ:- ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ତଥା ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ଚେତନ ଚୌହ୍ୱାନ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଦଳରେ ତାଙ୍କର ଅନେକ ଯୋଗଦାନ ରହିଛି । ସେ ଜଣେ ଭଲ କ୍ରିକେଟର ଓ ରାଜନେତା ଥିଲେ । ଜନସେବାରେ ମଧ୍ୟ ସେ ଉତ୍କୃଷ୍ଟତା ପ୍ରତିପାଦନ କରିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଚେତନ ଚୌହ୍ୱାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଚେତନ ଚୌହ୍ୱାନ ନିଜ ଜୀବନରେ ପ୍ରଥମେ ଜଣେ ଖେଳାଳି ଓ ପରେ ଜନସେବକ ଭାବେ ଦେଶର ସେବା କରିଛନ୍ତି । ତାଙ୍କର ନିଧନ ଭାରତୀୟ ରାଜନୀତି ଓ କ୍ରିକେଟ ପାଇଁ ବହୁତ ବଡ କ୍ଷତି ।ସେହିପରି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଅନୁରାଗ ଠାକୁର ମଧ୍ୟ ଚେତନ ଚୌହ୍ୱାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।