ଶିକ୍ଷା ସଂପର୍କ ଯୋଜନା’ରେ ଗାଁକୁ ଗାଁ ଯାଇ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର:-ମହାମାରୀ କରୋନା ପାଇଁ ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ। ନୂଆ ଯୋଜନାର ନାଁ ରହିବ ‘ଶିକ୍ଷା ସଂପର୍କ ଯୋଜନା’। ଯାଜପୁର ଜିଲ୍ଲା ପ୍ୟାରେଡ୍‌ ଅବସରରେ ଏହା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ସେ କହିଛନ୍ତି-“ରାଜ୍ୟର ୬୦ ଲକ୍ଷ ଶିଶୁ ଇ-ଶିକ୍ଷା ଉପରେ ନିର୍ଭର କରିବେ। ଏବେ ୨୨ ଲକ୍ଷ ଶିଶୁ ଇଣ୍ଟରନେଟ୍‌ ମାଧ୍ୟମରେ ପଢୁଛନ୍ତି। ବାକି ୩୮ ଲକ୍ଷ ଛାତ୍ର ଛାତ୍ରୀ ଇଂଟରନେଟ ସମସ୍ୟା ପାଇଁ ପାଠ ପଢ଼ିବାରୁ ବଂଚିତ ହେଉଛନ୍ତି। ନୂଆ ଯୋଜନାରେ ଶିକ୍ଷକ ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ। ଚଳିତ ଶିକ୍ଷା ବର୍ଷ ଲାଗି ସିଲାବସ କମାଇବା ବ୍ୟବସ୍ଥା ହେଉଛି। ଆସନ୍ତା ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ସିଲାବସ ପ୍ରଦାନ କରାଯିବ।”

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ସ୍କୁଲ ବନ୍ଦ ରହିଛି। ଦୀର୍ଘ ୨ ମାସର ବ୍ୟବଧାନ ପରେ ସ୍କୁଲ ଖୋଲିଲା। ହେଲେ ପିଲାମାନେ ସ୍କୁଲ ଆସିପାରିଲେ ନାହିଁ। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲ ଯାଇ ଅଫିସ୍‌ କାମ କରୁଛନ୍ତି। ଏପରିକି ଆଜି ପାଳିତ ହୋଇଥିବା ସ୍ୱାଧୀନତା ଦିବସ ଛାତ୍ରଛାତ୍ରୀଙ୍କ ବିନା ପାଳିତ ହୋଇଛି। ଶିକ୍ଷକମାନେ ସ୍କୁଲ ଯାଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଆଗକୁ ଆସୁଥିବା ଗଣେଶ ପୂଜା ପାଳନକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଲାଣି।

Leave a Reply

Your email address will not be published. Required fields are marked *