ଚିକିତ୍ସା ପାଇଁ ଆମେରିକା ଯିବେ ସଞ୍ଜୟ ଦତ୍ତ !
ବମ୍ବେ:- ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଆମେରିକା ଯିବେ । ସଞ୍ଜୟଙ୍କ ବନ୍ଧୁ ଓ ନିକଟତମ ମହଲରୁ ଏହି ସୂଚନା ମିଳିଥିବା କୁହାଯାଉଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ସପ୍ତାହରେ ସଞ୍ଜୟ ବମ୍ବେର ଲୀଳାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେ କରୋନା ଆକ୍ରାନ୍ତ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଥିବା ସଞ୍ଜୟ ଗତ ୮ ତାରିଖରେ ଟୁଇଟ୍ କରିଥିଲେ ।ରିପୋର୍ଟ ନେଗେଟିଭ୍ ଆସିବା ସତ୍ତେ୍ୱ ସେ ହସ୍ପିଟାଲରେ ଅଛନ୍ତି । ଅଧିକ ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି । ଏହି ପରିସ୍ଥିତିରେ ମଙ୍ଗଳବାର ସଞ୍ଜୟ ଏକ ଭାବପୂର୍ଣ୍ଣ ଟୁଇଟ୍ କରିଥିଲେ ଯାହାକୁ ନେଇ ସାରା ବଲିଉଡ୍ ଇଣ୍ଡଷ୍ଟ୍ରି ଓ ତାଙ୍କ ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସଞ୍ଜୟ ତାଙ୍କ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି ଯେ, “ବନ୍ଧୁମାନେ! ଚିକିତ୍ସା ପାଇଁ ମୁଁ କାର୍ଯ୍ୟରୁ ଏକ ଛୋଟ ବିରତି ନେଉଛି । ମୋ ପରିବାର ଓ ବନ୍ଧୁ ପରିଜନ ମୋ ସହ ଅଛନ୍ତି । ମୋ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଯଥା ବ୍ୟସ୍ତ କିମ୍ବା ଗୁଜବ ନ କରିବାକୁ ଅନୁରୋଧ । ମୁଁ ଶୀଘ୍ର ଫେରିଆସିବି ।”










