ରାକ୍ଷୀ ପୂର୍ଣ୍ଣିମାରେ ୫୦୦ ରାକ୍ଷୀ ବାନ୍ଧିଲେ ସବ୍ୟସାଚୀ,

ଭୁବନେଶ୍ୱର:-ମହାମାରୀ କରୋନା ଜନିତ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପରିସ୍ଥିତିରେ ଅଭିନେତା ସବ୍ୟସାଚୀ ମିଶ୍ର ଶତାଧିକ ପ୍ରବାସୀଙ୍କୁ ଉଦ୍ଧାର କରି ଯେଉଁ ମହତ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ତାଙ୍କୁ ସାରା ଓଡ଼ିଶାରୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରାପଡ଼ାର ଓଡ଼ିଶା ନଉଯବାନ ୟୁନିୟନ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ତାଙ୍କ ପାଖକୁ ୫୦୦ ରାକ୍ଷୀ ପଠାଯାଇଛି । ୟୁନିୟନର ମହିଳା ସଦସ୍ୟ ଘର ଘର ବୁଲି ଏହି ରାକ୍ଷୀ ସବୁ ସଂଗ୍ରହ କରିଥିଲେ । ଭର୍ଚୁଆଲ୍‌ ମାଧ୍ୟମରେ ଭିଡିଓ କରି ତାହା ଜଣାଇଛନ୍ତି । ଏହାକୁ ନେଇ ସବ୍ୟସାଚୀ ଉତ୍ସାହିତ ହୋଇପଡ଼ିଛନ୍ତି ।

ୟୁନିୟନ ସଭାପତି ମହମ୍ମଦ ଆମିର୍‌ କୁହନ୍ତି, ଏହା ପୂର୍ବରୁ ସୋନୁ ସୁଦଙ୍କୁ ୧୧ହଜାର ଚିଠି ପଠାଯାଇଥିଲା । ଯାହାକୁ ପାଇ ସୋନୁ ଖୁସିବ୍ୟକ୍ତ କରିବା ସହ ତାକୁ ସବୁଦିନ ନିଜ ଘରେ ସାଇତି ରଖିବେ ବୋଲି କହିଥିଲେ । ସେ ଚିଠିରେ ଲେଖାଥିଲା ସୋନୁଙ୍କୁ କିଏ କେମିତି ଜାଣେ । ବର୍ତ୍ତମାନ ମହାମାରୀ କରୋନା ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ସୋନୁ ଏବଂ ସବ୍ୟ ଦେଶର ଗର୍ବ । ସେମାନଙ୍କୁ ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ । ସେହିପରି ରାଖୀରେ ସବ୍ୟଙ୍କ ପାଖରେ ବହୁତ ସାରା ଡିଜିଟାଲ୍‌ ରାଖୀ ଆସିଛି । ଏତେ ମେସେଜ୍‌ ଆସିଛି, ଯାହାକୁ ସେ ଗଣି ପାରିନାହାନ୍ତି । ସବୁଠୁ ବଡ଼ କଥା ହେଲା ଗତ କିଛିଦିନ ତଳେ କେରଳରେ ଫସି ଥିବା ରାୟଗଡ଼ାର ୪୫ଜଣ ଝିଅଙ୍କୁ ସବ୍ୟ ଓଡ଼ିଶା ଫେରାଇ ଆଣିଥିଲେ । ବର୍ତ୍ତମାନ ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରେ ରହିଛନ୍ତି । ସେହିଠାରେ ରହି ସେମାନେ ଭିଡିଓ କଲ୍‌ରେ ରାଖୀର ବାର୍ତ୍ତା ପଠାଇଥିଲେ ।

Leave a Reply

Your email address will not be published. Required fields are marked *