ଝାରପଡ଼ା ଜେଲ୍‌ରେ ଦୁଇ କଏଦୀ ମାର୍‌ପିଟ ,ଥାନାରେ ଏତଲା

ଭୁବନେଶ୍ୱର:-ଝାରପଡ଼ା ଜେଲ୍‌ରେ ଅଭିଯୁକ୍ତମାନେ ମାର୍‌ପିଟ ହୋଇଛନ୍ତି । ଦୁଇ ଜଣ କଏଦୀ ରକ୍ତାକ୍ତ ହୋଇ ହସ୍ପିଟାଲ୍‌ ଯାଇଛନ୍ତି । ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି । ତେବେ ମାର୍‌ପିଟ ନେଇ ଜେଲ୍‌ର ଅଧୀକ୍ଷକ କିଛି କହିନାହାନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶୁକ୍ରବାର ପୂର୍ବାହ୍ନରେ ଲକ୍ଷ୍ନୌ ଜେଲ୍‌ରୁ ଆସିଥିବା ବରୁଣ ଚତୁର୍ବେଦୀ ଟିଭି ଦେଖୁଥିଲେ । ଏହି ସମୟରେ ସେଠାରେ ପହଞ୍ଚିଥିଲେ ରାଜେଶ ବାରିକ ନାମକ କଏଦୀ । ସେ ବରୁଣକୁ ପଚାରିଥିଲେ, ତୁମେ କ’ଣ ପାଇଁ ଥାନାରେ ଏଣୁତେଣୁ ଏତଲା ଦେଉଛ । ପୁଲିସ୍‌ ଆସି ଜେଲ୍‌ ଭିତରେ ତଦନ୍ତ କରୁଛି । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ରାଗି ଯାଇ ରାଜେଶ ପ୍ରଥମେ ବରୁଣଙ୍କ ମୁହଁକୁ ମୁଥ ମାରିଥିଲେ । ବରୁଣଙ୍କ ନାକ ଫାଟି ଯାଇଥିଲା। ବରୁଣ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ । ୱାର୍ଡେନ୍‌ ସେଠାରେ ପହଞ୍ଚି ଉଭୟଙ୍କୁ ଅଟକାଇଥିଲେ । ସେତେବେଳକୁ ରକ୍ତାକ୍ତ ହୋଇ ସାରିଥିଲେ ବରୁଣ । ତାଙ୍କୁ ଜେଲ୍‌ ହସ୍ପିଟାଲ ନିଆ ଯାଇଥିଲା । ରାଜେଶ ମଧ୍ୟ ଆହତ ହୋଇଥିଲେ । ଜେଲ୍‌ ଅଧୀକ୍ଷକ ଉଭୟଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାକୁ ଏତଲା ପଠାଇଥିଲେ ।

ଏନେଇ ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି, ଜେଲ୍‌ ଭିତରେ ୨ କଏଦୀଙ୍କ ମଧ୍ୟରେ ମାର୍‌ପିଟ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ୨ଟି ଏତଲା ଥାନାକୁ ଆସିଛି । ତଦନ୍ତ ପରେ ଘଟଣାର ସତ୍ୟସତ୍ୟ ଜଣାପଡ଼ିବ । ଦିନ ତଳେ ଜେଲ୍‌ରେ ଏଟି ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଓ ଅନ୍ୟ ଜଣେ କଏଦୀ ନାରଣଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ ଲାଗିଥିଲା ।

Leave a Reply

Your email address will not be published. Required fields are marked *