କଣ୍ଟେନର ଛାଡ଼ି ଚମ୍ପଟ୍ ମାରିଲେ ଡ୍ରାଇଭର,ଦେଢ଼ କୋଟିର ଗଞ୍ଜେଇ ଜବତ

 କୋରାପୁଟ:-ଛତିଶଗଡ଼ ଚାଲଣ ହେଉଥିବା ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇକୁ ସେମିଳିଗୁଡ଼ା ପୁଲିସ ଜବତ କରିଛି । ଏକ ୧୨ ଚକିଆ କଣ୍ଟେନରର ସ୍ୱତନ୍ତ୍ର ଚାମ୍ବରରେ ଏହା ଯାଉଥିବାବେଳେ ଶୁକ୍ରବାର ଭୋରରୁ ଏହା ଧରାପଡିଛି । ଡ୍ରାଇଭର ସହ ଅନ୍ୟଜଣେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।

ସେମିଳିଗୁଡ଼ା ଆଇଆଇସି ଡି. କେ. ବେହେରା କହିଛନ୍ତି, ଭୋରରୁ ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କୁନ୍ଦୁଲି ହାଟପଦା ପଟରୁ କଣ୍ଟେନରଟି ଦ୍ରୁତ ଗତିରେ ସେମିଳିଗୁଡା ଆସୁଥିଲା । କଣ୍ଟେନର ଉପରେ ସନ୍ଦେହ ହେବାରୁ ପୁଲିସ ଏହାର ପିଛା କରିଥିଲା । ପୁଲିସ ଭ୍ୟାନ ପିଛା କରୁଥିବା ଦେଖି ଚାଳକ ମାଳିଡ଼ୋଳିଆମ୍ବ ନିକଟରେ ଗାଡ଼ିକୁ ନ୍ୟୁଟ୍ରାଲ କରି ଦେଇଥିଲେ । ତୁରନ୍ତ ଚାଳକ ଓ ଅନ୍ୟଜଣେ ଗାଡ଼ିରୁ ଡେଇଁ ପଳାଇଥିଲେ । ରାସ୍ତା ଗଡ଼ାଣି ଥିବାରୁ କଣ୍ଟେନରଟି ପଛକୁ ଗଡ଼ି ଆସିଥିଲା । ପଛରେ ଥିବା ପୁଲିସ ଭ୍ୟାନ ସହ ଧକ୍କା ଖାଇ କଣ୍ଟେନରଟି ଅଟକି ଯାଇଥିଲା । ପୁଲିସ ଗାଡିକୁ ଜବତ କରିଥିଲା । ଯାଞ୍ଚ ବେଳେ କଣ୍ଟେନରର ଚାଳକ ବସୁଥିବା ପଛପଟରେ ଏକ ସ୍ୱତନ୍ତ୍ର ଚାମ୍ବର କରାଯାଇ ଗଞ୍ଜେଇ ରଖାଯାଇଥିଲା । ଯାଞ୍ଚ ବେଳେ ୧୬୨ ଟି ପ୍ୟାକେଟ ମିଳିଥିଲା । ଯାହାର ଓଜନ ୧୬ କୁଇଣ୍ଟାଲରୁ ଅଧିକ ହେବ । ଜବତ ଗଞ୍ଜେଇର ବଜାର ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ । ଗାଡ଼ିର ନମ୍ବର ଛତିଶଗଡ଼ଡର ହୋଇଥିବାରୁ ସେଠାକୁ ଏହା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । 

Leave a Reply

Your email address will not be published. Required fields are marked *