ଆଜି ଟ୍ବିନ୍‌ ସିଟିରେ ସନ୍ଧ୍ୟା ୬ରୁ ୬ଟା ୨ମିନିଟ୍‌ ଯାଏ ବନ୍ଦ ରହିବ ଟ୍ରାଫିକ

ଭୁବନେଶ୍ବର:-ଆଜି ଟ୍ବିନ ସିଟିରେ ଦୁଇ ମିନିଟ୍‌ ପାଇଁ ବନ୍ଦ ରହିବ ଟ୍ରାଫିକ୍‌। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍‌ ଯାଏ ବନ୍ଦ ରହିବ ଟ୍ରାଫିକ୍‌ । କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ନିରବ ପ୍ରାର୍ଥନା କରାଯିବ। ଏନେଇ  ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ସମଗ୍ର ମାନବ ଜାତି ଏବେ ଇତିହାସର ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି । ମହାମାରୀ କୋଭିଡ୍‌ ସାରା ମାନବ ସମାଜ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏ ସଂକଟ କାଳରେ ଆମ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା ଓ ତ୍ୟାଗର ପଟାନ୍ତର ନାହିଁ । ସେମାନଙ୍କ ସେବାରୁ ଆମ ରାଜ୍ୟରେ ମୃତ୍ୟୁହାର କମ୍‌ ରହିଛି । ଆସନ୍ତୁ ଏହି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ପାଇଁ ଆମେ ସାଢ଼େ ୪ କୋଟି ଓଡ଼ିଆ ସମ୍ମାନ ଜଣାଇବା । ଆଜି (ବୁଧବାର) ସନ୍ଧ୍ୟା ୬ଟାରେ ସେମାନଙ୍କ ପାଇଁ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିବା ।

ସବୁ ଓଡ଼ିଆଙ୍କୁ ଏମିତି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ଅବା ବାହାରେ ଯିଏ ଯେଉଁଠାରେ ଥାଆନ୍ତୁ ସେଠାରେ ଠିଆହୋଇ କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ସେ ଅପିଲ୍‌ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି ।

ରାଜ୍ୟବାସୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଯୋଗୁଁ ସବୁ ଦେଶ ଅତି ଗମ୍ଭୀର ପରିସ୍ଥିତିରେ ଗତି କରୁଛି । ଆସନ୍ତାକାଲି ଓଡ଼ିଶାରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ । କୋଭିଡ ଯୁଦ୍ଧରେ ଆମ ସଂଗ୍ରାମରେ ଏହା ହେଉଛି ମହତ୍ୱପୂର୍ଣ୍ଣ ଘଟଣା । ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ । ଆମର ମୃତ୍ୟୁହାର ୦.୫୭ ପ୍ରତିଶତ ରହିଛି । ଏହା ସମଗ୍ର ଦେଶରେ ସବୁଠାରୁ କମ୍‌ । ଆମର ଆରୋଗ୍ୟଙ୍କ ସଂଖ୍ୟା ବଢ଼ିଛି, ମୃତ୍ୟୁହାର କମିଛି । ଏହାର ଶ୍ରେୟ ଆମ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କର । ଆମ ସମସ୍ତଙ୍କୁ ନିରାପଦରେ ରଖିବାକୁ ସେମାନେ ବିରାଟ ତ୍ୟାଗ ସ୍ୱୀକାର କରୁଛନ୍ତି । ଏପରିକି ଆମର ମୂଲ୍ୟବାନ ଜୀବନ ସୁରକ୍ଷା ପାଇଁ ଏ ଭୟାନକ ଯୁଦ୍ଧରେ ସେମାନଙ୍କ ମଧ୍ୟରୁ ଅନେକ ଜୀବନ ବଳିଦାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *