ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ଅଭିଯୁକ୍ତ ବସନ୍ତ ପଣ୍ଡାର ଜାମିନ ହାଇକୋର୍ଟରେ ନାମଞ୍ଜୁର

ସମ୍ବଲପୁର,:- ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ସମ୍ବଲପୁର ଅତିରିକ୍ତ ଦୌରାଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ବସନ୍ତ ପଣ୍ଡାର ଜାମିନ ନାମଞ୍ଜୁର ଗତ ଜାନୁଆରୀ ମାସରୁ ହୋଇସାରିଥିଲା । ଆଉ ଆଜି ମାନ୍ୟବର ହାଇକୋର୍ଟ ମଧ୍ୟ ତାର ଜାମିନକୁ ନାମଞ୍ଜୁର କରି ଦେଇଛନ୍ତି । ମାମଲାର ଗମ୍ଭୀରତାକୁ ବିଚାରକୁ ନେବା ସହିତ ଏହାର ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ ଅଭିଯୁକ୍ତର ଜାମିନକୁ ନାମଞ୍ଜୁର କରାଯାଇଥିବା ନେଇ ବିଚାରପତି ଦର୍ଶାଇଛନ୍ତି । ଗତ ୨୦୧୧ ମସିହାରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ସମ୍ବଲପୁର ନନ୍ଦପଡାର ଜୟଶ୍ରୀ ମିଶ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଗତବର୍ଷ ଜୁଲାଇ ମାସରେ ପୁଲିସ ସ୍ପଷ୍ଟ କରିଥିଲା ।

ଆଉ ଦୀର୍ଘ ୮ ବର୍ଷ ଧରି ଷ୍ଟେସନ୍‌ ଡାଏରି କରି ଚୁପ୍‌ ବସିଥିବା ଟାଉନ ଥାନା ପୁଲିସ ଗତବର୍ଷ ଜୁଲାଇ ୨୧ ତାରିଖରେ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କରିଥିଲା । ଏହାପରେ ବୁର୍ଲା ଥାନା ଅନ୍ତର୍ଗତ ବଡସିଂହାରୀ ନିକଟରେ ହତ୍ୟା କରାଯାଇଥିବା ସୂଚନା ପାଇ ଏକାଧିକ ବାର ଜେସିବି ମେସିନ୍‌ ଲଗାଇ ଖନନ କରିଥିଲା । ଆଉ ସେଠାରୁ ସଂଗୃହୀତ କିଛି ମୁଣ୍ଡର ଖପୁରୀକୁ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇଥିଲା । ତେବେ, କିଛି ମାସ ପୂର୍ବରୁ ପୁଲିସ ଏହି ସମ୍ବେଦନଶୀଳ ମାମଲାର ଚାର୍ଜସିଟ୍‌ ଦାଖଲ କରିସାରିଥିବା ବେଳେ ବସନ୍ତ ପଣ୍ଡା ବର୍ତ୍ତମାନ ସୁଦ୍ଧା ଜେଲ୍‌ରେ ଅଛି ।

ଏହାର ବିଚାର ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଚାଲିଥିବା ବେଳେ ଜୟଶ୍ରୀଙ୍କ ଝିଅ ବିଜୟିନୀ ମାଁଙ୍କୁ ନ୍ୟାୟ ଦେବାକୁ ତାଙ୍କ ସଂଗ୍ରାମ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଗତ ଜାନୁଆରୀ ମାସରେ ବସନ୍ତ ସମ୍ବଲପୁର ଅତିରିକ୍ତ ସେସନ୍ସ ଜଜ୍‌ଙ୍କ କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଏହା ନାମଞ୍ଜୁର ହୋଇଥିଲା । ଏହାପରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଆଉ ଆଜି ଭିଡିଓ କନଫରେନ୍ସ ଜରିଆରେ ଏହାର ଶୁଣାଣି ହୋଇଥିଲା ।

Leave a Reply

Your email address will not be published. Required fields are marked *