ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଫରହାନ୍

ମୁମ୍ବାଇ:-ଭାରତର ପ୍ରଥମ ମହକାଶଚାରୀ ୱିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ ‘ସାରେ ଜହାଁ ସେ ଅଚ୍ଛା’କୁ ନେଇ ଗତ ଦୁଇବର୍ଷ ହେଲା ଚର୍ଚ୍ଚା ଚାଲିଛି । ଏହାର ଲିଡ୍‌ ରୋଲ୍‌ ପାଇଁ ବଲିଉଡ୍‌ର ଦୁଇ ମହାନ ଅଭିନେତା ଆମିର ଖାନ୍‌ ଏବଂ ଶାହରୁଖ୍‌ଙ୍କ ନାମ ପର୍ଯ୍ୟାୟକ୍ରମେ ଶୁଣିବାକୁ ମିଳିଥିଲା । ସଦ୍ୟତମ ରିପୋର୍ଟ ଅନୁସାରେ ଫରହାନ୍‌ ଅଖତର ସେହି ଭୂମିକାରେ ଦେଖିବାକୁ ମିଳିବେ । ଏ ନେଇ ଫରହାନ୍‌ ଏବଂ ଫିଲ୍ମର ନିର୍ମାତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ନିର୍ମାତାମାନେ ତାଙ୍କୁ ତାଙ୍କର ଅନ୍ୟ ପ୍ରୋଜେକ୍ଟକୁ ଶୀଘ୍ର ସାରିବାକୁ ଅନୁରୋଧ କରିଛନ୍ତି ।

ଏ ସଂପର୍କରେ ଫିଲ୍ମ ସହ ଜଡ଼ିତ ଜଣେ ସୂତ୍ର କହିଛନ୍ତି, ‘ଫରହାନ୍‌ ‘ଭାଗ୍‌ ମିଲ୍‌ଖା ଭାଗ୍‌’ରେ ଆଥଲେଟ୍‌ ମିଲ୍‌ଖା ସିଂହଙ୍କ ଭୂମିକାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇସାରିଛନ୍ତି । ତେଣୁ ସେ ଏହି ଚରିତ୍ର ପାଇଁ ଫିଟ୍‌ ହେବେ ବୋଲି ମନେ କରାଯାଉଛି । ତାଙ୍କର ଅନ୍ୟ ପ୍ରୋଜେକ୍ଟ ସରିଲେ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।’ ସେହିପରି ଯଥାଶୀଘ୍ର ଫିଲ୍ମର ଅନ୍ୟ ଚରିତ୍ର ପାଇଁ କଳାକାର ଚୟନ ହେବ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଥାଉକି, ମହେଶ ମାଥାଇ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ।

Leave a Reply

Your email address will not be published. Required fields are marked *