ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୂରା ଗାଁ , ପକ୍ଷୀ ଛୁଆକୁ ଦୁନିଆର ଆଲୋକ ଦେଖାଇବାକୁ ମଣିଷ ହସିହସି ଅନ୍ଧାରକୁ ଆବୋରି ନେଇଥିଲା

ତାମିଲନାଡୁ:- ପିଲାଦିନେ ପକ୍ଷୀକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । କାଉ ବସାରେ କୋଇଲି ଛୁଆ ଦେବା କଥା ହେଉ କିମ୍ବା ଦୂର ତାଳ ବଣେ ବାଇଆ ବସା ମଣିଷକୁ ବଞ୍ଚିବାର କଳା ଶିଖାଇବା ହେଉ… ଚଢେଇକୁ ନେଇ ଏମିତି କେତେ କଣ କଥା ଆପଣଙ୍କ କାନରେ ପଡିଥିବ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହା ଶୁଣିଲେ ଆପଣ ବି ପାଲଟିଯିବେ ପକ୍ଷୀପ୍ରେମୀ । ତେବେ ଚାଲନ୍ତୁ ଶୁଣିବା ପକ୍ଷୀଙ୍କୁ ଆଲୁଅ ଦେବାକୁ ୩୫ ଦିନ ଅନ୍ଧାରରେ ରହିଥିବା ଗୋଟେ ଗାଁର କଥା…

ତାମିଲନାଡୁ ଶିବଗଙ୍ଗା ଜିଲ୍ଲାର ପୋଥାଗଡି ଗାଁ । କରୋନାର କୋକୁଆ ଭୟ ଏବଂ କଟକଣା ପାଇଁ ଗାଁଲୋକେ ଘରେ ରହିଥାନ୍ତି । ଆଉ ଏତିକି ବେଳେ ଗାଁ ମୁଣ୍ଡ ବିଦ୍ୟୁତ୍ ଖୁଣ୍ଟ ଚାରିପାଖେ ଗୋଟେ ଚଢେଇ କିଚିରି ମିଚିରି ଶବ୍ଦ କରି ବସା ବାନ୍ଧିବାକୁ ଜାଗା ଖୋଜୁଥାଏ । ଯାହାକୁ ଦୂରରୁ ଥାଇ ଦେଖୁଥିଲେ ସେହି ଗାଁର ଜଣେ ଯୁବକ କାରୁପ ରାଜା । ଗାଁ ଷ୍ଟ୍ରିଟ୍ ଲାଇଟ ଦାୟିତ୍ୱରେ ଥିବା ରାଜା ସବୁଦିନ ସନ୍ଧ୍ୟାରେ ଲାଇଟ୍ ଜଳାନ୍ତି ଆଉ ସକାଳେ ଲିଭାଇ ଦିଅନ୍ତି । ସେଦିନ ବି ସେ ଲାଇଟ ଲିଭାଇବାକୁ ଆସିଥିଲେ ହେଲେ ଚଢେଇଟି କିଛି କୁଟା କାଠି ଆଣି ଷ୍ଟ୍ରିଟ୍ ଲାଇଟର ମେନ୍ ସୁଇଟ ବୋର୍ଡ ଭିତରେ ବସା ବାନ୍ଧି ସାରିଥିବା ଦେଖିବାକୁ ପାଇଥିଲେ ।ତେବେ ପରଦିନ ରାଜା ଉକ୍ତ ବସାକୁ ଭଲରେ ଦେଖିବା ପରେ ଚଢେଇଟି ୩ଟି ନୀଳ ସବୁଜ ରଙ୍ଗର ଅଣ୍ଡା ଦେଇଥିବା ଦେଖିବାକୁ ପାଇଥିଲେ । ଆଉ ପରେ ଉକ୍ତ ଅଣ୍ଡା ସହ ଚଢେଇର ଫଟୋ ଗାଁ ହ୍ୱାଟ୍ସଆପ ଗ୍ରୁପରେ ଛାଡି ତାକୁ ବଞ୍ଚାଇବାକୁ ଅଭିଯାନ ଆରମ୍ଭ କରିଥିଲେ । ସୁଇଚ୍ ବୋର୍ଡ ବ୍ୟବହାର କଲେ ଚଢେଇର ଅଣ୍ଡା ଫାଟିଯିବ ବୋଲି ଚଢେଇ ଦେଇଥିବା ଅଣ୍ଡାରୁ ଛୁଆ ନବାରିବା ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ ଜଳିବନି ବୋଲି ଗାଁ ଲୋକ ସ୍ଥିର କରିଥିଲେ । ମାତ୍ର କିଛି ଏହାକୁ ବିରୋଧ କରିବା ପରେ ଶେଷରେ ସରପଞ୍ଚ ମିଟିଂ ଡାକି ଗାଁ ସାରା ଷ୍ଟ୍ରିଟ୍ ଲାଇଟକୁ ବନ୍ଦ ରଖିବାକୁ ସ୍ଥିର କରିଥିଲେ ।ଗୋଟେ ପଟେ ପକ୍ଷୀ ଛୁଆକୁ ଦୁନିଆର ଆଲୋକ ଦେଖାଇବାକୁ ମଣିଷ ହସିହସି କିଟିମିଟ ଅନ୍ଧାରକୁ ଆବୋରି ନେଇଥିଲା । ଆଉ ଅନ୍ୟପଟେ ରାତିର ଅନ୍ଧାର ଆଡେଇ ଆଲୁଅ ଦେଖିବାକୁ ଧିରେଧିରେ ଅଣ୍ଡାରୁ ଜୀବନ ଫୁଟୁଥିଲା । ଅନ୍ଧାର- ଆଲୁଅ ମଝିରେ ମଣିଷର ଆଶ୍ରା ପାଇ ବସା ଭିତରେ ବଡ ହେଉଥିଲେ ଚଢେଇ ଛୁଆ । ଆଉ ଗାଁର ୧୦୦ ପରିବାର ୩୫ ଦିନ ପାଇଁ ୩୫ଟି ଲାଇଟ୍ ବନ୍ଦ କରି ଅନୁଭବ କରୁଥିଲେ ପକ୍ଷୀର ପ୍ରେମ । ସୁରକ୍ଷିତ ସୁଇଚ୍ ବୋର୍ଡରେ ପକ୍ଷୀ ଛୁଆ ବଡ ହୋଇ ମାଆ ସହ ନୀଳ ଆକାଶକୁ ଫୁର… କିନା ଉଡିଯିବା ପରେ ଗାଁରେ ଆଲୁଅ ଜଳିଥିଲାl

Leave a Reply

Your email address will not be published. Required fields are marked *