ଟେଲିଭିଜନ ଉପସ୍ଥାପିକା ପ୍ରିୟା ଜୁନେଜା ଆତ୍ମହତ୍ୟା
ନୂଆଦିଲ୍ଲୀ :-ଟେଲିଭିଜନ ଉପସ୍ଥାପିକା ପ୍ରିୟା ଜୁନେଜା ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ନିଜ ଘରେ ଗଳାରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଆତ୍ମ ହତ୍ୟା କରିଥିବା ଘରୁ ସୁଇସାଇଡ ନୋଟ୍ ମଧ୍ୟ ମିଳିନାହିଁ। ପୋଲିସ ଶବ ଜବତ କରିଥିବା ବେଳେ ପୋଷ୍ଟମର୍ଟମ ନିମନ୍ତେ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।ପ୍ରିୟା ଆତ୍ମହତ୍ୟାର କାରଣ ଲାଗି କୌଣସି ପ୍ରମାଣ ଛାଡିଯାଇ ନଥିଲେ ହେଁ ସୋସିଆଲ ମିଡିଆରେ ନିଜର ଭାବନା ବ୍ୟକ୍ତ କରିଯାଇଛନ୍ତି। ତାଙ୍କର ଏପରି ପୋଷ୍ଟରେ ଜନୈକ ସାଥୀ ଏଭଳି କୌଣସି ପଦକ୍ଷେପ ନେବା ପୂର୍ବରୁ ଲୋକଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିବାର ଦେଖାଯାଇଛି। ତେବେ ଆଙ୍କର ପ୍ରିୟା ଜୁନେଜାଙ୍କ ଆତ୍ମହତ୍ୟା ଘଟଣା ପ୍ରଚାରିତ ହେବା ପରେ ତାଙ୍କ ଶୁଭଚିନ୍ତକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପୂର୍ବ ଦିଲ୍ଲୀର ୱେଲକମ ଅଞ୍ଚଳରେ ପ୍ରିୟା ଓ ତାଙ୍କ ପରିବାର ରହନ୍ତି। ସେ ଅନେକ ଟେଲିଭିଜନ ଚାନେଲରେ କାମ କରିଛନ୍ତି। ନିକଟରେ ସେ ହରିୟାଣାର ଏକ ୟୁଟ୍ୟୁବ ଚାନେଲ ଲାଗି ଆଙ୍କରିଂ କରୁଥିଲେ। ତେବେ ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଆତ୍ମହତ୍ୟା ପୂର୍ବରୁ ପ୍ରିୟା ତାଙ୍କ ଚାକିରୀକୁ ନେଇ ଚିନ୍ତିତ ଥିଲେ ବୋଲି ପୋଲିସ ଆକଳନ କରିଛି।










