ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସହ କଥାହେଲେ ଓଡିଶା ମୁଖ୍ୟମନ୍ତ୍ରୀ,

 ଭୁବନେଶ୍ୱର :-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ  ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଅମ୍ଫାନ୍ ମୁକାବିଲା ନେଇ ପଶ୍ଚିମବଙ୍ଗକୁ ସହଯୋଗର ହାତ ବଢ଼ାଇଛନ୍ତି  ନବୀନ। ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ପଶ୍ଚିମବଙ୍ଗରେ ସାମୁଦ୍ରିକ ମହାବାତ୍ୟା ଅମ୍ପନ ମହାତାଣ୍ଡବ ରଚିଛି। ରାଜ୍ୟରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ସୁଦ୍ଧା ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବା ଆଶଙ୍କା କରାଯାଉଛି। କେବଳ କୋଲକାତାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାବାତ୍ୟାର ଏହି କ୍ଷୟକ୍ଷତିକୁ ଗୋଟିଏ ଶବ୍ଦରେ ‘ସର୍ବନାଶ’ ବୋଲି କହିବା ସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାପାଇଁ ଘୋଷଣା କରିଛନ୍ତି।

ଏହାସହିତ ମୃତକଙ୍କ ପରିବାର ଯଦି ଅର୍ଥନୈତିକ ଦିଗରୁ ଦୁର୍ବଳ ଥାଆନ୍ତି, ତା’ହେଲେ ସେମାନଙ୍କ ଘର ତିଆରି କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅମ୍ପନର ମାଡ଼ରେ ପଶ୍ଚିମବଙ୍ଗର ମୋଟ ୮ଟି ଜିଲା କୋଲକାତା, ପୂର୍ବ ଓ ପଶ୍ଚିମ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ହୁଗୁଳି, ହାଓଡ଼ା ଏବଂ ପୁରୁଲିଆ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଜାର ହଜାର ଘର ଭାଙ୍ଗିପଡ଼ିଥିବା ବେଳେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ଘଟିଛି। ୭ ଦିନ ଭିତରେ ସଂପୂର୍ଣ୍ଣ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। 

Leave a Reply

Your email address will not be published. Required fields are marked *