ରାଜସ୍ଥାନ ରାଜନୀତିରେ ମାୟାବତୀଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ:–ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ ବେଳେ ବହୁଜନ ସମାଜ ପାର୍ଟି (ବସପା) ମୁଖ୍ୟ ମାୟାବତୀ ଏଣ୍ଟ୍ରି ମାରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବେଆଇନ ତଥା ଅସାମ୍ବିଧାନିକ ଭାବେ ବସପାର ୬ ଜଣ ବିଧାୟକଙ୍କୁ କଂଗ୍ରେସରେ ସାମିଲ କରାଇଛନ୍ତି । ପୂର୍ବରୁ ଗେହଲଟ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏଭଳି ମଧ୍ୟ କରିଥିଲେ । ତେଣୁ ବର୍ତ୍ତମାନ ବସପା ଗେହଲଟ ଓ କଂଗ୍ରେସକୁ ଉଚିତ ଶିକ୍ଷା ଦେବ । ସେହି ସୁଯୋଗକୁ ଦଳ ଅପେକ୍ଷା କରିଥିଲା । ଏବେ ସୁଯୋଗ ମିଳିଛି ବୋଲି ସେ କହିଛନ୍ତି ।

ନୂଆଦିଲ୍ଲୀରେ ସାମ୍ବାଦିକଙ୍କୁ ସୂଚନା ଦେଇ ମାୟାବତୀ କହିଛନ୍ତି ଯେ ରାଜସ୍ଥାନ ବିଧାନସଭା ନିର୍ବାଚନ ଶେଷ ହେବା ପରେ ସରକାର ଗଠନ କରିବାକୁ କଂଗ୍ରେସକୁ ଆବଶ୍ୟକ ସଂଖ୍ୟା ମିଳି ନଥିଲା । ତେଣୁ ବସପାର ୬ ଜଣ ବିଧାୟକ ଗେହଲଟଙ୍କ ନେତୃତ୍ୱରେ ଗଠିତ କଂଗ୍ରେସ ସରକାରକୁ ନିଃସର୍ତ୍ତ ସମର୍ଥନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ବସପାକୁ କ୍ଷତି ପହଞ୍ଚାଇବା ଓ ନିଜର ହୀନ ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ଲାଗି ଗେହଲଟ ଅସାମ୍ବିଧାନିକ ଭାବେ ବସପା ବିଧାୟକ ଦଳକୁ କଂଗ୍ରେସରେ ବିଲୟ କରିବା ସହ ୬ ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଥିଲେ । ଏହା ବିରୋଧରେ ବସପା କୋର୍ଟକୁ ମଧ୍ୟ ଯାଇପାରିଥାନ୍ତା । କିନ୍ତୁ ଗେହଲଟ ଓ କଂଗ୍ରେସକୁ ଉପଯୁକ୍ତ ଶିକ୍ଷା ଦେବା ଲାଗି ଆମେ ସୁଯୋଗକୁ ଅପେକ୍ଷା କରିଥିଲୁ । ଏବେ ଆମେ କଂଗ୍ରେସରେ ବସପାର ବିଲୟ ଓ ଦଳୀୟ ବିଧାୟକଙ୍କୁ କଂଗ୍ରେସରେ ସାମିଲ କରାଯିବା ଭଳି ଅସାମ୍ବିଧାନିକ କାର୍ଯ୍ୟ ବିରୋଧରେ କୋର୍ଟକୁ ଯିବୁ । ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବୁ ବୋଲି ମାୟାବତୀ କହିଛନ୍ତି ।

ଗତକାଲି ବସପା ଦଳର ୬ ଜଣ ବିଧାୟକଙ୍କୁ ନୋଟିସ୍‌ ଜାରି କରିଥିଲା । ବିଧାନସଭାରେ ଯଦି ଆସ୍ଥା ଭୋଟ କରାଯାଏ ତେବେ ଗେହଲଟ ସରକାର ବିପକ୍ଷରେ ଭୋଟ ଦେବାକୁ ସେମାନଙ୍କୁ କୁହାଯାଇଥିଲା । ଯଦି ସେମାନେ ଦଳୀୟ ନିର୍ଦ୍ଦେଶ ନ ମାନିବେ ତେବେ ସେମାନଙ୍କୁ ବିଧାନସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ ଜାରି କରାଯାଇଥିବା ସେହି ନୋଟିସରେ କୁହାଯାଇଥିଲା । ଦଳର ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର କହିଥିଲେ କି ବସପା ହେଉଛି ଏକ ଜାତୀୟ ଦଳ । ଯେପର୍ଯ୍ୟନ୍ତ ଏହି ଦଳ ଜାତୀୟ ସ୍ତରରେ କୌଣସି ଦଳରେ ବିଲୟ ହୋଇନାହିଁ, ସେପର୍ଯ୍ୟନ୍ତ ରାଜ୍ୟସ୍ତରରେ ଏହି ଦଳ ଅନ୍ୟ କୌଣସି ଦଳ ସହିତ ବିଲୟ ହୋଇପାରିବ ନାହିଁ । ଯଦି କୌଣସି ବିଧାୟକ ଏଭଳି କରନ୍ତି ତେବେ ସେମାନେ ବିଧାନସଭା ସଦସ୍ୟପଦରୁ ଅଯୋଗ୍ୟ ଘୋଷିତ ହେବେ । ଅନ୍ୟପକ୍ଷରେ ବସପା ବିଧାୟକମାନେ କହିଛନ୍ତି ୯ ମାସ ପୂର୍ବରୁ କଂଗ୍ରେସରେ ସେମାନେ ମିଶିସାରିଛନ୍ତି । ୯ ମାସ ପରେ ବସପାର ସେମାନଙ୍କ କଥା ମନେପଡିଲା । ଦରକାର ପଡିଲେ ସେମାନେ ବି କୋର୍ଟକୁ ଯିବେ ବୋଲି ରୋକ୍‌ଠୋକ ଶୁଣାଇଛନ୍ତି ।

Leave a Reply

Your email address will not be published. Required fields are marked *