ରାମ ମନ୍ଦିର ଭୂମି ପୂଜନରେ ପ୍ରଧାନମନ୍ତ୍ରୀଙ୍କ ସହିତ ଅଯୋଧ୍ୟା ଆସିବେ ଲାଲ କୃଷ୍ଣ ଆଡଭାଣୀ
ନୂଆଦିଲ୍ଲୀ:- ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅଗଷ୍ଟ ୫ରେ ହେବ। ଏହାକୁ ନେଇ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଭୂମି ପୂଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାଣୀ ମଧ୍ୟ ଅଯୋଧ୍ୟା ଯିବେ। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ କହିଛନ୍ତି ମନ୍ଦିର ଆନ୍ଦୋଳନ ସହ ଜଡିତ ଲୋକଙ୍କୁ ପ୍ରାଥମିକତା ଆଧାରରେ ନିମନ୍ତ୍ରଣ ଦିଆଯାଇଛି। ଏଥିରେ ଆଡଭାଣୀ ଓ ଡ. ମୁଲରୀ ମନୋହର ଯୋଶୀ ମଧ୍ୟ ସାମିଲ। ଉଭୟଙ୍କୁ ସ୍ଵତନ୍ତ୍ର ଭାବେ ଆମନ୍ତ୍ରିତ କରାଯାଇଛି।
ରାମ ଜନ୍ମଭୂମିକୁ ନେଇ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଆନ୍ଦୋଳନକୁ ନିର୍ଣ୍ଣାୟକ ସ୍ତରରେ ପହଞ୍ଚାଇବାରେ ଆଡଭାଣୀଙ୍କ ବଡ ଯୋଗଦାନ ରହିଛି। ବିଜେପି ରାଷ୍ଟ୍ରୀୟ ସଭାପତି ରୂପେ ସେ କେବଳ ରାମ ମନ୍ଦିର ଆନ୍ଦୋଳନକୁ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ଦେବାକୁ ଘୋଷଣା କରିନଥିଲେ ବରଂ ନିଜେ ଗୁଜରାଟର ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥ ଯାତ୍ରା ବାହାର କରିବାକୁ ଘୋଷଣା କରିଥିଲେ। ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଶିଷ୍ଟ ଧର୍ମାଚାର୍ଯ୍ୟଙ୍କ ମଧ୍ୟରେ ଆଡଓ୍ଵାଣୀଙ୍କ ଉପସ୍ଥିତିରେ ପୁନର୍ବାର ହିନ୍ଦୁତ୍ଵର ସେହି ଜ୍ଵାଳା ଉତ୍ପନ କରିବାରେ ସମର୍ଥ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଆସନ୍ତା ୫ ତାରିଖରେ ରାମ ମନ୍ଦିରର ଶିଳାନ୍ୟାସ୍ ଓ ଭୂମିପୂଜନ ପୂର୍ବରୁ ରାମ ଜନ୍ମ ଭୂମି ସଂଘର୍ଷ ଯାତ୍ରାର ପ୍ରମୁଖ ଘଟଣାବଳୀ ସହ ଜଡିତ ହେବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂସ୍କୃତ ବିଭାଗ ଏହି ଅବସରରେ ଏକ ବୃହତ ପ୍ରଦର୍ଶନୀର ଆୟୋଜନ କରିବାକୁ ଯୋଜନା ରଖିଛନ୍ତି। ଏହି ପ୍ରଦର୍ଶନୀରେ ରାମଜନ୍ମ ଭୂମିର ସଂଘର୍ଷର ପୂରା ଘଟଣାକ୍ରମ ପ୍ରଦର୍ଶିତ କରାଯିବ।










