ଭାରତୀୟ କମ୍ପାନୀରେ ହେଉଥିବା ଛଟେଇରେ ଅସନ୍ତୁଷ୍ଟ ରତନ ଟାଟା, କହିଲେ- ମାଲିକଙ୍କଠାରେ ରହିଛି ସହାନୁଭୂତିର ଅଭାବ
ନୂଆଦିଲ୍ଲୀ:-ଟାଟା ସମୂହର ସଂରକ୍ଷକ ରତନ ଟାଟା ଗୁରୁବାର ଗୁରୁବାର ଏକ ସାକ୍ଷାତକାର ସମୟରେ କୋଭିଡ୍-୧୯ ମହାମାରୀ କାରଣରୁ ଭାରତୀୟ କମ୍ପାନୀମାନଙ୍କରେ ହେଉଥିବା ଛଟେଇକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି କରୋନା ପରି ମୁସ୍କିଲ ସମୟରେ ଲୋକଙ୍କ ପ୍ରତି କମ୍ପାନୀଙ୍କ ଦାୟିତ୍ଵ ରହିଛି। ଭାରତୀୟ କମ୍ପାନୀ ଦ୍ଵାରା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ଅଗଣିତ ଘଟଣା ଉପରେ ସେ କହିଛନ୍ତି, ଏମିତି ଲାଗୁଛି ଯେମିତି କମ୍ପାନୀର ଶୀର୍ଷ ଅଧିକାରୀଙ୍କଠାରେ ସହାନୁଭୂତିର ଅଭାବ ରହିଛି।
ରତନ ଟାଟା ଏକ ଓ୍ଵେବ୍ସାଇଟ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ କମ୍ପାନୀ ପାଇଁ କାମ କରିଛନ୍ତି। ନିଜର ପୂରା କ୍ୟାରିୟର କମ୍ପାନୀ ପାଇଁ ଦେଇଛନ୍ତି। ଏହି ସଙ୍କଟ ସମୟରେ ଆପଣ ସେମାନଙ୍କୁ ସମର୍ଥନ କରିବା ପରିବର୍ତ୍ତେ ଚାକିରିରୁ ତଡି ବେରୋଜଗାର କରୁଛନ୍ତି। ଭାରତର ପ୍ରମୁଖ ଉଦ୍ୟୋଗପତି କହିଛନ୍ତି ଉଦ୍ୟୋଗପତି ଓ କମ୍ପାନୀ ପାଇଁ ଦୀର୍ଘ ସମୟ କାମ କରିଥିବା ଏବଂ ଭଲ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳତା ସର୍ବୋପରି ଅଟେ।
ଉଲ୍ଲେଖଯୋଗ୍ୟ, ଟାଟା ସମୂହ ଏହି ସଙ୍କଟର ଘଡିରେ ବରିଷ୍ଠ ଅଧିକାରୀଙ୍କ ଦରମାରେ ୨୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ଏୟାରଲାଇନ୍ସଠୁ ନେଇ ଅଟୋ ବିଜନେସ୍ ପର୍ଯ୍ୟନ୍ତ କୌଣସି ବି ସେକ୍ଟରରୁ କର୍ମଚାରୀଙ୍କ ଛଟେଇ କରାଯାଇ ନାହିଁ। ଟାଟା ଗ୍ରୁପ କରୋନା ସଙ୍କଟର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପିଏମ କେୟାର୍ସ ପାଣ୍ଠିରେ ୧୫୦୦ କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି।
ସେ କହିଛନ୍ତି କମ୍ପାନୀକୁ ମୁନାଫା କମାଇବା ଭୁଲ୍ ନୁହେଁ। ମାତ୍ର ଏହି କାମ ନୈତିକତା ଭାବେ କରିବା ଜରୁରୀ। ଏହି ପ୍ରଶ୍ନ ସବୁଠୁ ଅଧିକ ଜରୁରୀ ଯେ ଆପଣ ମୁନାଫା ପାଇଁ କଣ କଣ କରୁଛନ୍ତି ? ସେ କହିଛନ୍ତି କମ୍ପାନୀ ପାଇଁ ଏହା ମଧ୍ୟ ଜରୁରୀ ଯେ, ସେମାନେ ମୁନାଫା ସମୟରେ ଏହା ଉପରେ ଖିଆଲ ରଖନ୍ତୁ ଯେ ଗ୍ରାହକ ଓ ସେୟାରହୋଲ୍ଡର୍ସ ପାଇଁ କଣ ମୂଲ୍ୟ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ସମୟରେ ମ୍ୟାନେଜରକୁ ଏହି ପ୍ରଶ୍ନ କରିବା ଉଚିତ୍ ଯେଉଁ ନିଷ୍ପତ୍ତି ନେଉଛନ୍ତି, କଣ ତାହା ଠିକ୍ ?