ଜଗତସିଂହପୁର ଜିଲ୍ଲାରେ ‘ଅମ୍ଫାନ୍’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି, ପାନ ବରଜ ଭାଙ୍ଗି ନଷ୍ଟ
ଜଗତସିଂହପୁର:-ପଶ୍ଚିମବଙ୍ଗ ନିକଟ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଅମ୍ଫାନ୍’ । ହେଲେ ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଓ ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ବାଲେଶ୍ବର, ଭଦ୍ରକ, ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହୋଇଛି । କେଉଁଠି ଗଛ ଭାଙ୍ଗିଛି ତ ଆଉ କେଉଁଠି ଇଲେକ୍ଟ୍ରି ଖୁଣ୍ଟ ଉପୁଡି ପଡିଛି । ସେହିଭଳି ଏହିସବୁ ଜିଲ୍ଲାରେ କଚ୍ଚା ଘର ଓ ଆଜବେଷ୍ଟସ୍ ଘର ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି ।ଜଗତସିଂହପୁର ଜିଲ୍ଲାରେ ବାତ୍ୟା ‘ଅମ୍ଫାନ’ର ପ୍ରଭାବ ହ୍ରାସ ପାଇବା ପରେ ପ୍ରାଥମିକ ପର୍ଯ୍ୟାୟରେ ବିଦ୍ୟୁତ୍ ସରବରାହ ସୁଗମ କରିବା ପାଇଁ ସେସୁ କାର୍ଯ୍ୟ ଆରମ୍ଭ କରିଛି । ସେସୁ କର୍ମଚାରୀ ବିଦ୍ୟୁତ୍ କାର୍ଯ୍ୟକୁ ସୁଗମ କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାମ ଆରମ୍ଭ କରିଛନ୍ତି । ପ୍ରାଥମିକ ଭାବରେ ମେଡିକାଲ୍ ଲାଇନ୍ ଦିଆଯିବା ପରେ ଜଗତସିଂହପୁର ସଦର ଓ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି । ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଏନଡିଆରଏଫ୍ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ରାସ୍ତା ସଫା କରାଯାଇଛି ।କଟକ ପାରାଦୀପ ରାସ୍ତା ସମେତ ମୁଖ୍ୟ ରାସ୍ତା ଗୁଡିକ ପ୍ରଥମେ କ୍ଲିୟର୍ କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ରାସ୍ତା ଗୁଡିକରୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉଠାଯିବ । ‘ଅମ୍ଫାନ’ର ପ୍ରଭାବରେ ଜଗତସିଂହପୁର ଜିଲାରେ ପବନର ବେଗ ପାଖା ପାଖି ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିଥିଲା ।ଢିଙ୍କିଆ ଅଞ୍ଚଳରେ ପାନ ବରଜ ଗୁଡିକ ଭାଙ୍ଗି ନଷ୍ଟ ହୋଇ ଥିବାରୁ ପାନ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ ୭୫ ବର୍ଷର ବୃଦ୍ଧ ବାତ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।










