ପଶ୍ଚିମବଙ୍ଗରେ ‘ଅମ୍ଫାନ୍’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି,୧୨ଲୋକଙ୍କ ଜୀବନ ଯାଇଛି

କୋଲକତା:-ପଶ୍ଚିମବଙ୍ଗ ଏବଂ ଓଡିଶାରେ  ତାଣ୍ଡବ ରଚିଲା ବାତ୍ୟା ‘ଅମ୍ଫାନ୍’। ପଶ୍ଚିମବଙ୍ଗରେ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ‘ଅମ୍ଫାନ୍’ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୧୬୫ କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି ।  ଅନେକ ସ୍ଥାନରେ ଘର ଭାଙ୍ଗିବା ସହିତ ଗଛ ଉପୁଡିପଡିଛି । ପଶ୍ଚିମବଙ୍ଗରେ ପ୍ରାୟ ସାଢେ ୬ ଘଣ୍ଟା ଧରି ତାଣ୍ଡବ ରଚିଥିଲା ବାତ୍ୟା ‘ଅମ୍ଫାନ୍’ ।କୋଲକାତା ଏବଂ ପଶ୍ଚିମବଙ୍ଗର ଦକ୍ଷିଣାଞ୍ଚଳରେ ସବୁଠୁ ବେଶୀ କ୍ଷୟକ୍ଷତି ହୋଇଛି । ସୁନ୍ଦରବନ ଅଞ୍ଚଳ ଏବଂ ଦକ୍ଷିଣ ବେଙ୍ଗଲର ୬ଟି ଜିଲ୍ଲାରେ ଏହାଦ୍ବାରା ସବୁଠୁ ବେଶୀ କ୍ଷୟକ୍ଷତି ଘଟିଛି। ସାଗର ଦ୍ବୀପ ନିକଟରେ ଅପରାହ୍ନ ପ୍ରାୟ ୨ଟା ୩୦ ବେଳକୁ ‘ଅମ୍ଫାନ୍’ ଲ୍ୟାଣ୍ଡଫଲ୍ କରିଥିଲା । କୋଲକାତାରେ ସଂଧ୍ୟା ୫ଟା ବେଳକୁ ଦେଖିବାକୁ ମିଳିଥିଲା ବାତ୍ୟାର ପ୍ରକୋପ । ସହରରେ ଚାରିଆଡେ ଜଳମଗ୍ନ ହୋଇଯାଇଥିଲା । ଗାଡି ଗୁଡିକ ପାଣିରେ ଭାସିବାକୁ ଲାଗିଥିଲା । ରାସ୍ତାରେ ବଡ ବଡ ଗଛ ଉପୁଡି ପଡିଥିଲା । ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ବେଳେ କିଛି ଅଧା ଉପୁଡା ଅବସ୍ଥାରେ ରାସ୍ତା ଉପରେ ନଇଁ ପଡିଥିଲା ।ପଶ୍ଚିମବଙ୍ଗରେ ଯେଉଁଭଳି କ୍ଷୟକ୍ଷତି ହୋଇଛି ତାହାର ଆକଳନ କରିବାକୁ କିଛି ଦିନ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ପ୍ରାୟ ୧୦-୧୨ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି । କୋଲକାତା ମହାନଗରୀରେ ମୋବାଇଲ ନେଟୱର୍କ ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିର ଆକଳନ ମାନବୀୟ ଦୃଷ୍ଟିକୋଣରୁ କରିବାକୁ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।ବୁଧବାର ଅପରାହ୍ନରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ପବନ ସହ ସୁନ୍ଦରବନରେ ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିଲା ‘ଅମ୍ଫାନ’ । ପ୍ରାୟ ୬ ଘଣ୍ଟା ଧରି କୋଲକାତାବାସୀଙ୍କୁ ଡରାଇଥିଲା ।  କୋଲକାତାରେ ଘଣ୍ଟାକୁ ପ୍ରାୟ ୧୨୦ରୁ ୧୩୫ କିଲୋମିଟର ବେଗରେ ପବନ ବହିବାରୁ  ସହରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଟଳିପଡିଛି ବିଶାଳକାୟ ବୃକ୍ଷ । ମଝି ରାସ୍ତାରେ ପଡି ରହିଛି ବିଦ୍ୟୁତ ଖୁଣ୍ଟି। ମାଟିରେ ମିଶିଯାଇଛି କଚା ଘର । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହୁବୁଳି ଓ ହାଓ୍ବଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Leave a Reply

Your email address will not be published. Required fields are marked *