କରୋନା ସନ୍ଦେହରେ କେହି ଆସିଲେନି, ଶିକ୍ଷକଙ୍କ ମୃତଦେହ ଉଠାଇଲେ ସାମ୍ୱାଦିକ
ଶେରଗଡ଼,:-କରୋନା ଯୋଗୁଁ ଲୋକଙ୍କ ମାନବିକତା ହଜିଯାଉଥିବା ଅନେକ ଉଦାହରଣ ଦେଖିବାକୁ ମିଳୁଛି । ଗତକାଲି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ରେ ଏହାର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରେ ପରଲୋକ ହୋଇଯାଇଛି । ମୃତକ ବଡ଼ଦାଣ୍ଡ ସାହିର ପୀତାମ୍ୱର ପାଢ଼ୀ । ମାତ୍ର କରୋନା ସନ୍ଦେହରେ ସମ୍ପର୍କୀୟ କି ସାହିବାସିନ୍ଦା କେହି ମୃତଦେହ ଘରୁ ବାହାର କରିବାକୁ ଆସିଲେ ନାହିଁ । ସ୍ଥାନୀୟ ସାମ୍ବାଦିକଙ୍କ ସହାୟତାରେ ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯାଇଛି ।
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୀତାମ୍ୱର ଦୁଇ ପୁଅ ବାହାରେ ରହୁଛନ୍ତି । ୧୦ ଦିନ ହେଲା ଶିକ୍ଷକଙ୍କୁ ଜ୍ୱର, କାଶ ହେଉଥିଲା । ଘରେ ରହି ଔଷଧ ଖାଉଥିଲେ । ମାତ୍ର ସେଥିରେ ସୁସ୍ଥ ହୋଇନଥିଲେ । ଗତକାଲି ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତଦେହ ଶଯ୍ୟାରେ ପଡ଼ିଥିଲେ ମଧ୍ୟ ସାହିପଡ଼ୋଶୀ କେହି ପାଖ ମାଡ଼ିନଥିଲେ । ସବୁଠାରୁ ବଡ଼ ଦୁଃଖର କଥା ସଚେତନତା ସୃଷ୍ଟି କରୁଥିବା ପ୍ରାଶାସନିକ ଅଧିକାରୀ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଶେଷରେ ଶେରଗଡ଼ ସରପଞ୍ଚ ପ୍ରତିନିଧି ବାଲାଜୀ ପ୍ରଧାନ, ସାମ୍ୱାଦିକ ମେଘନାଦ ଦାଶ, ଶଙ୍କରପ୍ରସାଦ ପ୍ରଧାନ, ଅଜିତ ପଣ୍ଡା ବ୍ୟକ୍ତିଗତ ସୁରକ୍ଷା (ପିପିଇ) କିଟ୍ ପିନ୍ଧି ଶବ ସତ୍କାର ପାଇଁ ଘରୋଇ ଆମ୍ୱୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଇଥିଲେ ।