ପଂଚଭୂତରେ ଲୀନ ହେଲେ ବିଜୟ ମହାନ୍ତି : ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର
ଭୁବନେଶ୍ବର:-ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ସାରା ଓଡିଶା ସ୍ତବ୍ଧ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗରର ମଶାଣୀରେ ଶେଷ କୃତ୍ୟ ସଂପର୍ଣ୍ଣ ହୋଇଛି । ରାଜଧାନୀର ଘରୋଇ ଡାକ୍ତରଖାନାରୁ ବିଜୟ ମହାନ୍ତିଙ୍କ ମରଶରୀରକୁ ପ୍ରଥମେ ରସୁଲଗଡ ସ୍ଥିତ ବାସଭବନକୁ ନିଆଯାଇଥିଲା । ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଶେଷ ଶ୍ରଦ୍ଧାଂଜଳୀ ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ।ବିଜୟ ମହାନ୍ତିଙ୍କ ପରଲୋକରେ ଓଡିଆ ସିନେ ଜଗତରେ ୪୩ ବର୍ଷର ଯାତ୍ରାର ଅବସାନ ଘଟିଛି । ୧୯୫୦ ମସିହା ଏପ୍ରିଲ ୮ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୭୦ ବର୍ଷ । ୪୩ ବର୍ଷର ଅଭିନୟ ଜୀବନରେ ୧୮୦ରୁ ଅଧିକ ଓଡିଆ ଚଳଚିତ୍ରରେ ନିଜ ଅଭିନୟର ଛାପ ଛାଡିଛନ୍ତି ବିଜୟ ମହାନ୍ତି । ଏକାଧାରରେ ଜଣେ ଅଭିନେତା, ନାଟ୍ୟକାର ଏବଂ ନିର୍ଦ୍ଦେଶକ ଥିଲେ । ଜୟଦେବ ସମ୍ମାନ ସହିତ ୬ ଥର ରାଜ୍ୟ ଚଳଚିତ୍ର ସମ୍ମାନ ପାଇଥିଲେ । ଏବେ ତାଙ୍କର ପରଲୋକରେ ସାରା ଓଡିଶା ସ୍ତବ୍ଧ ।ଅଭିନେତା ବିଜୟ ମହାନ୍ତିଙ୍କ ଶୈଶବରୁ ଯୌବନ କଟିଥିଲା ବାରିପଦାରେ । ତାଙ୍କୁ ମନେ ପକାଇ ଝୁରୁଛନ୍ତି ତାଙ୍କ ବାଲ୍ୟବନ୍ଧୁ ଓ ନାଟକ ସଙ୍ଗୀମାନେ । ବାରିପଦାର ଏମକେସି ହାଇସ୍କୁଲ ପରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସନ୍ଧ୍ୟା ମହାବିଦ୍ୟାଳୟରେ କଲେଜ ଜୀବନ କଟିଥିଲା । ବାପା ଆଦିକନ୍ଦ ମହାନ୍ତି ବାରିପଦାରେ ସରକାରୀ ଚାକିରୀ କରୁଥିଲେ । ତେଣୁ ବିଜୟଙ୍କ ସ୍କୁଲ ଏବଂ କଲେଜ ଜୀବନ କଟିଥିଲା ବାରିପଦାର ସରକାରୀ କ୍ବାଟର୍ସରେ । ଏହାପରେ ଅଭିନୟ ଏବଂ ନାଟକର ଆକର୍ଷଣରେ ଦିଲ୍ଲୀ ସ୍ଥିତ ନାସନାଲ ସ୍କୁଲ ଅଫ୍ ଡ୍ରାମା ଯାଇଥିଲେ । ସେହିଠାରୁ ଅଭିନୟ ଦୁନିଆରେ ଆଉ କେବେ ପଛକୁ ଚାହିଁ ନଥିଲେ ବିଜୟ ।