ପ୍ରେମ ପାଇଁ ଯୁବକ ମାନିଲେନି ସୀମା-ସରହଦ୍, ସୀମା ପାର ବେଳେ ଧରିଲା ବିଏସଏଫ
କଚ୍ଛ,:- ପ୍ରେମ ପାଇଁ ଯୁବକ ମାନିଲେନି ସୀମା-ସରହଦ୍। ପାକିସ୍ତାନରେ ଥିବା ନିଜର ପ୍ରେମିକାକୁ ଭେଟିବାକୁ ଯାଇ ଗୁଜୁରାଟର କଚ୍ଛରେ ଥିବା ଭାରତ-ପାକିସ୍ତାନ ସୀମା ପାର କରୁଥିବା ବେଳେ ବିଏସଏଫ ଯବାନଙ୍କ ହାତରେ ଧରାପଡିଛନ୍ତି। ଯୁବକ ଜଣକ ସୀମା ପାର କରି ପାକିସ୍ତାନ ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହି ସମୟରେ ଜଳୀୟଅଂଶ ଅଭାବରୁ ହଠାତ୍ ଅଚେତ ହୋଇ ସେ ତଳେ ପଡିଯାଇଥିଲେ। କାରଣ ସେ ମୁମ୍ବାଇରୁ ବାଇକ୍ ଯୋଗେ ଦୀର୍ଘ ୧୨୦୦ କିଲୋମିଟର ଆସିଥିଲେ କେବଳ ନିଜର ପ୍ରେମିକାକୁ ଭେଟିବାକୁ।
ଏହି ଯୁବକ ଜଣକ ହେଉଛନ୍ତି ମୁମ୍ବାଇର ସିଦ୍ଧକି ମହମ୍ମଦ ଜିସାନ୍ (୨୦ବର୍ଷ), ସୋସିଆଲ ମିଡିଆ ଫେସବୁକ୍ ଓ ହ୍ବାଟସଆପ୍ ଯୋଗେ ପାକିସ୍ତାନ କରାଚୀର ଶାହ ଫୈଜଲ ସହରରେ ରହୁଥିବା ଜଣେ ଝିଅକୁ ଭଲ ପାଇ ବସିଥିଲେ। ସୋସିଆଲ ମିଡିଆରେ କଥା ହେବାପରେ ନିଜର ପ୍ରେମିକାକୁ ଭେଟିବାକୁ ଜିସାନ୍ ଗୁଗୁଲ ମ୍ୟାପ୍ ନାଭିଗେସନର ସାହାଯ୍ୟ ନେଇ ଭାରତ-ପାକିସ୍ତାନ ସୀମା ନିକଟରେ ପହଁଞ୍ଚିଥିଲେ। ତେବେ ସୀମା ପାର କରିବା ସମୟରେ ଅଚେତ ହୋଇ ସେ ତଳେ ପଡିଯାଇଥିଲେ। ଏହାପରେ ବିଏସଏଫ ଯବାନଙ୍କ ହାତରେ ଧରାପଡିଥିଲେ।
ଜିସାନଙ୍କ ପାଖରୁ ଏଟିଏମ୍, ଆଧାର କାର୍ଡ ଏବଂ ପାନ୍ କାର୍ଡ ମିଳିବା ପରେ ସୁରକ୍ଷାକର୍ମୀମାନେ ଚିହ୍ନଟ କରିଥିଲେ ସେ ମୁମ୍ବାଇର। ଏହା ସହିତ ସର୍ଚ୍ଚ ଅପରେସନ୍ ବେଳେ ତାଙ୍କର ବାଇକ୍ ମଧ୍ୟ ଉଦ୍ଧାର ହୋଇଥିଲା। ସୀମାଠାରୁ ୧.୫ କିଲୋମିଟର ଦୂରରୁ ତାଙ୍କୁ ବିଏସଏଫ୍ ଧରିଥିଲା।
ଜିସାନ୍ ଘରୁ ଆସିବା ପରେ ତାଙ୍କର ବାପା-ମା ନିଖୋଜ ହୋଇଥିବା ନେଇ ମହାରାଷ୍ଟ୍ର ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ମହାରାଷ୍ଟ୍ର ପୋଲିସ ଏନେଇ ଗୁଜରାଟ ପୋଲିସକୁ ସୂଚନା ଦେଇଥିଲା। ଗୁଜରାଟ ପୋଲିସ ସମସ୍ତ ଘଟଣା ସମ୍ପର୍କରେ ବିଏଏଫକୁ ସୂଚନା ଦେବାପରେ ଜିସାନଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରାଯାଇ ଧୋଲାଭୀରା ନିକଟରୁ ଧରିଥିଲେ ବିଏସଏଫ ଯବାନମାନେ