ଗୋଲ୍ଡ ମାସ୍କ ପାଇଁ ଚର୍ଚ୍ଚାରେ ସିଲଭର୍ ସିଟିର ଗୋଲ୍ଡେନ ମ୍ୟାନ୍,ଫର୍ନିଚର ବ୍ୟବସାୟୀ ପିନ୍ଧିଲେ ସୁନା ମାସ୍କ

କଟକ;- ବର୍ତ୍ତମାନ କରୋନା ସମୟରେ ସରକାର ଗାଇଡ୍ ଲାଇନ୍‌ରେ ଜାରି କରିଛନ୍ତି ସମସ୍ତେ ମାସ୍କ ପିନ୍ଧିବେ। ତେଣୁ ବିଭିନ୍ନ ରଙ୍ଗ ସହ ଭିନ୍ନ ଭନ୍ନ ଡିଜାଇନ୍‌ରେ ମାସ୍କ ଲୋକମାନେ ପିନ୍ଧି ବାହାରକୁ ଆସୁଛନ୍ତି। ଓଡ଼ିଶାର ଏକ ସୁନା ମାସ୍କ ପିନ୍ଧା ବାବୁ ବାହାରିଛନ୍ତି। କଟକରେ ଏହି ବ୍ୟକ୍ତିଙ୍କ ଘର। ସେ ଜଣେ ଫର୍ନିଚର ବ୍ୟବସାୟୀ। ତାଙ୍କ ନାଁ ଆଲୋକ ମହାନ୍ତି। ୩ ଭରି ଓଜରର ସୁନାର ମାସ୍କ ପିନ୍ଧିଛନ୍ତି।  ଏହା ପୂର୍ବରୁ ଜଣେ ବ୍ୟକ୍ତି ମଧ୍ୟ ସୁନା ମାସ୍କ ପିନ୍ଧି ବେଶ ଚର୍ଚ୍ଚାରେ ଥିଲେ।     ସାରା ଶରୀରରେ ଛାଉଣି ହୋଇଛି ସୁନା। ଆଠଟା ଅଙ୍ଗୁଳିରେ ଆଠ ସୁନାର ମୁଦି, ବେକରେ ଝୁଲିଛି ଏକରୁ ଅଧିକ ମୋଟା ହାର। ଡାହାଣ ହାତରେ ସୁନେଲି ବ୍ରେସଲେଟ୍ ପୁଣି ବାଁ ହାତରେ ସ୍ୱର୍ଣ୍ଣିମ ଘଣ୍ଟା। ଅଙ୍ଗ ପ୍ରତ୍ୟଙ୍ଗ ସୁନାରେ ଝଟକୁଥିଲେ ହେଁ ସମସ୍ତଙ୍କ ନଜର ଏବେ କିନ୍ତୁ ତାଙ୍କ ମୁହଁର ମାସ୍କ ଉପରେ। ଆମେ କହୁଛୁ ରୌପ୍ୟ ନଗରୀର ଗୋଲ୍ଡେନ୍ ମ୍ୟାନ୍- ଆଲୋକ ମହାନ୍ତିଙ୍କ କଥା। କୋଭିଡ୍-19ର ମୁକାବିଲା ପାଇଁ ସୁନା ତିଆରି ମାସ୍କ ପିନ୍ଧି ଚର୍ଚ୍ଚାରେ ଅଛନ୍ତି କଟକର ଆଲୋକ।

ଆପଣ ଦେଖୁଥିବା ଏହି ଏନ-୯୫ ମାସ୍କ ଉପରେ ରହିଛି ଶହେ ଗ୍ରାମର ସୁନା। ସିଲଭର ସିଟିର ଏହି ଗୋଲଡେନ୍ ମ୍ୟାନଙ୍କ କହିବା କଥା, ସୁନା ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା। ଏହି ଦୁର୍ବଳତା ପରବର୍ତ୍ତୀ ସମୟରେ ନିଶା ପାଲଟିଯାଇଛି। ଆଲୋକଙ୍କ ସୁନା ସଉକ ତାଙ୍କ ସାରା ଶରୀର କହୁଛି। ଏପିରିକି ତାଙ୍କ ଟୋପିରେ ବି ରହିଛି ସୁନାର ପ୍ରଲେପ। ମହାମାରୀ କରୋନାର ମୁକାବିଲା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ସେଥିପାଇଁ ବିଭିନ୍ନ ପ୍ରକାରର ମାସ୍କ ପିନ୍ଧିବା ଏବେ ଟ୍ରେଣ୍ଡ ପାଲଟିଛି। ଆଉ ଏହି ଟ୍ରେଣ୍ଡକୁ ନିଆରା ରୂପ ଦେଇଛନ୍ତି କଟକିଆ ଆଲୋକ।

ବମ୍ବେର ଜଣେ ବ୍ୟକ୍ତିଙ୍କ ସୁନା ମାସ୍କ ଟିଭିରୁ ଦେଖିବା ପରେ ନିଜେ ଏପରି ଏକ ମାସ୍କ ପିନ୍ଧିବା ପାଇଁ ସେ ଉତ୍ସାହିତ ହୋଇ ପଡ଼ିଥିଲେ। ସେ ନିଜ ସଉକ ପାଇଁ ସୁନାର ମାସ୍କ ତ ପିନ୍ଧୁଛନ୍ତି ତେବେ, ଲୋକେ ନିଜ ସୁରକ୍ଷା ପାଇଁ ଯେ କୌଣସି ପ୍ରକାରର ମାସ୍କ ପରିଧାନ କରିବାକୁ ଆଲୋକ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *